ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପାଖେଇ ଆସୁଛି ସାଧାରଣ ନିର୍ବାଚନ । ସମସ୍ତ ରାଜନୈତିକ ନେତାଙ୍କ ମଧ୍ୟରେ ଟିକେଟ ପାଇବା ପାଇଁ ନିଜ ନିଜ ଅଞ୍ଚଳରେ ଟଣା ଓଟରା ହେଉଥିବା ଦେଖିବାକୁ ମିଳିଛି । ଟିକେଟ ପାଇବା ଆଶାରେ ସବୁ ଜାଗାରେ ଦଳୀୟ କନ୍ଦଳ ମଧ୍ୟ ଦେଖିବାକୁ ମିଳୁଛି । ମାତ୍ର କଂଗ୍ରେସ ମାର୍ଚ୍ଚ ପ୍ରଥମ ସପ୍ତାହରୁ ନିଜର ପ୍ରାର୍ଥୀ ଘୋଷଣା କରିବ । ଯାହାଦ୍ୱାରା ଆଶାୟୀ ପ୍ରାର୍ଥୀମାନେ ଆଗୁଆ ନିଜ ଅଞ୍ଚଳରେ କ୍ୟାମ୍ପେନିଂ କରିବେ ଏବଂ ଭୋଟ ବ୍ୟାଙ୍କ ହାତେଇବା ପାଇଁ ଚେଷ୍ଠା କରିବେ । ଆସନ୍ତା ୨୫ ତାରିଖରେ ସିଇସିକୁ ସ୍କ୍ରିନିଂ କମିଟି ଚୂଡାନ୍ତ ପ୍ରାର୍ଥୀ ତାଲିକା ଦେବେ। ଏନେଇ ସ୍କ୍ରିନିଂ କମିଟିର ପ୍ରଥମପର୍ଯ୍ୟାୟ ବୈଠକ ପରେ ଏହି ସୂଚନା ଦେଇଛନ୍ତି ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭିଡି ସଥୀସାନ।
କଂଗ୍ରେସର ସ୍କିନିଂ କମିଟି ଓଡିଶାରେ ପହଁଞ୍ଚି ବିଭିନ୍ନ ସଂସଦୀୟ କ୍ଷେତ୍ରରେ ପ୍ରାର୍ଥୀ ଚୟନ ପାଇଁ ଆଲୋଚନା ଚଳାଇଛି । ଆଶାୟୀ ପ୍ରାର୍ଥୀଙ୍କ ନାମକୁ ନେଇ ବିଭିନ୍ନ ଆଲୋଚନା କରାଯାଉଛି । ସେପଟେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟ୍ୱିଟ କରିଥିଲେ କି ଯେଉଁ ନେତା ତିନି ଥର ହାରିଥିବେ ସେ ଚଳିତ ନିର୍ବାଚନରେ ଟିକେଟ ପାଇବେନି । ଯାହାକୁ ନେଇ ବହୁ ତୁଙ୍ଗ ନେତା ଚିନ୍ତାରେ ଅଛନ୍ତି । କାରଣ ହାରିବା ପରେ ଫିଲ୍ଡ ସଜାଇ ପୁନର୍ବାର ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ଆଶାୟୀ ପ୍ରାର୍ଥୀ ଏହି ଖବର ଶୁଣିବା ପରେ ଟିକେଟ ପାଇବା ଆଶା ମଉଳି ଯାଇଛି । କିନ୍ତୁ ପିସିସି ସଭାପତି ଏବଂ ସ୍କିନିଂ କମିଟି ଏହି ସମ୍ପର୍କରେ ଆଲୋଚନା କରିବେ ବୋଲି ସୂଚନା ମିଳିଛି । କାରଣ ଏମିତି ହେଲେ ବହୁ ତୁଙ୍ଗ ନେତା ବଳି ପଡିଯାଇପାରନ୍ତି ।
ପ୍ରଥମ ପର୍ଯ୍ୟାୟରେ ସ୍କିନିଂ କମିଟି ଆଲୋଚନା କରି ଯିବା ପରେ ଦ୍ବିତୀୟ ପର୍ଯ୍ୟାୟ ସ୍କ୍ରିନିଂ ବୈଠକ ଆସନ୍ତା ସପ୍ତାହରେ ବସିବ। ତାପରେ ପିଇସି ବୈଠକ ବସିବ। ଏପଟେ କେନ୍ଦ୍ରପଡାରେ ମାହାଙ୍ଗାରେ ଯୁବ ପ୍ରାର୍ଥୀ ଦେବାକୁ ବରିଷ୍ଠ କଂଗ୍ରେସ ନେତା ସେକ ମତୁଲବ ଅଲ୍ଲୀ ସୁପାରିଶ କରିଥିବାବେଳେ ଢ଼େଙ୍କାନାଳର ବରିଷ୍ଠ ନେତା କେପି ସିଂହ ଦେଓ ହାଇକମାଣ୍ତଙ୍କ ସିଗନାଲ ଅପେକ୍ଷା କରିଛନ୍ତି। ଯଦି ହାଇକମାଣ୍ତ ଚାହିଁବେ ତାହେଲେ ସେ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି।