ଅଗରତାଲା,୬ା୩/ଏଜେନ୍ସି: ଦୀର୍ଘ ୨୫ ବର୍ଷ ହେଲା ତ୍ରିପୁରାରେ ଶାସନ କରୁଥିବା ବାମ ଦଳକୁ ପରାସ୍ତ କରି ଗେରୁଆ ବାନା ଉଡ଼ାଇବାରେ ସମର୍ଥ ହୋଇଥିବା ବିଜେପି ଖୁବଶୀଘ୍ର ଏଠାରେ ସରକାର ଗଠନ କରିବାକୁ ଯାଉଛି । ବିଜେପିର ତ୍ରିପୁରା ବିଜୟୀ ପଛରେ ମୁଖ୍ୟ ପୁରୋଧା ସାଜିଥିବା ବିପ୍ଲବ କୁମାର ଦେବ୍ ସେଠାରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଆଜି ଦଳ ପକ୍ଷରୁ ଘୋଷଣା କରାଯାଇଛି । କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ସ୍ଥାନୀୟ ନେତା ଓ ନିର୍ବାଚିତ ବିଧାୟକଙ୍କ ସହ ଆଲୋଚନା କରିବା ପରେ ବିପ୍ଲବ କୁମାର ଦେବ୍ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରିଛନ୍ତି ।
ବିପ୍ଲବ କୁମାର ଦେବ୍ ସର୍ବସମ୍ମତିକ୍ରମେ ବିଧାୟକଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି । ଖୁବଶୀଘ୍ର ବିପ୍ଲବ କୁମାର ତ୍ରିପୁରା ରାଜ୍ୟପାଳ ତଥାଗତ ରାୟଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇବେ । ତ୍ରିପୁରାର ନୂଆ ସରକାର ଆସନ୍ତା ୯ ତାରିଖ ଦିନ ୧୦.୩୦ରେ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି ।
ବିଧାୟକ ଦଳ ନିର୍ବାଚିତ ହେବା ପରେ ବିପ୍ଲବ କୁମାର ଦେବ କହିଛନ୍ତି, ଆମେ ଶପଥ ଉତ୍ସବରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ଓ ବିଜେପି କ୍ଷମତାସୀନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ ପତ୍ର ପଠାଇ ଦେଇଛୁ । ଆଶା ପ୍ରଧାନମନ୍ତ୍ରୀ ଏହି ନମନ୍ତ୍ରଣ ରକ୍ଷା କରି ଏଠାକୁ ଆସିବେ ।
ଜିଷ୍ଣୁ ଦେବ୍ ବର୍ମନ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଶ୍ରୀ ଦେବ କହିଛନ୍ତି । ତ୍ରିପୁରାରେ ବିଜେପି ସହ ମେଣ୍ଟ କରିଥିବା ଇଣ୍ଡିଜେନସ୍ ପିପୁଲ୍ସ ଫ୍ରଣ୍ଟ ଅଫ୍ ତ୍ରିପୁରା(ଆଇପିଏଫ୍ଟି) ଆଦିବାସୀ ସଂପ୍ରଦାୟର କାହାକୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ଦାବି କରିଥିଲା । କିନ୍ତୁ ବିଜେପି ବିପ୍ଲବ କୁମାରଙ୍କ ନାଁରେ ମୋହର ମାରିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ବିଜେପି ତ୍ରିପୁରାର ୫୯ ଆସନରେ ହୋଇଥିବା ନିର୍ବାଚନରେ ୩୫ଟି ଆସନରେ ବିଜୟୀ ହୋଇଥିବା ବେଳେ ଆଇପିଏଫ୍ଟି ୮ଟି ଆସନରେ ଜିତିଥିଲା । ସରକାରରେ ଥିବା ବାମପନ୍ଥୀ ଦଳ ମାତ୍ର ୧୬ଟି ଆସନରେ ସୀମିତ ରହିଥିଲା ।