ଭୁବନେଶ୍ୱର,(ଅଟିଆର ବ୍ୟୁରୋ): ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ବିଜେପିର ଏପରି ଦବଦବା ପଛରେ ୪ ଜଣ ନେତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ସେମାନେ ହେଲେ ବିଜେପି ସାଧାରଣ ସମ୍ପାଦକ ରାମ ମାଧବ, ବରିଷ୍ଠ ବିଜେପି ନେତା ହିମନ୍ତ ବିଶ୍ୱ ଶର୍ମା, ବିପ୍ଲବ କୁମାର ଦେବ ଓ ସୁନୀଲ ଦେଓଧର ।
ରାମ ମାଧବ: ବିଜେପି ସାଧାରଣ ସଂପାଦକ ରାମ ମାଧବ ହେଉଛନ୍ତି ଜଣେ ଆରଏସଏସ ଭକ୍ତ । ଏଥିସହ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଜଣେ ଅନୁଗାମୀ । ଜଣେ ସଂଗଠକ ଭାବରେ ମଧ୍ୟ ତାଙ୍କର ଦବଦବା ରହିଛି । ତାଙ୍କରି ନେତୃତ୍ୱରେ ଉତ୍ତର-ପୂର୍ବ ଭାରତରେ ବିଜେପି ପ୍ରଚାର କାର୍ଯ୍ୟ ଆରମ୍ଭ କରିଥିଲା । ସେ ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲେ । ବିଜେପି କେଉଁଠି କେମିତି ପ୍ରଚାର କରିବ ଓ କେଉଁ ଦଳ ସହ ମେଣ୍ଟ କରିବ, ସେସବୁର ଦାୟିତ୍ୱ ନେଉଥିଲେ ରାମ ମାଧବ । ଜମ୍ମୁ-କଶ୍ମୀରରଠାରୁ ଆରମ୍ଭ କରି ଉତ୍ତର-ପୂର୍ବର ଆଞ୍ଚଳିକ ଦଳଗୁଡ଼ିକ ସହ ବିଜେପିର ମେଣ୍ଟ ପଛରେ ରାମ ମାଧବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା । ଏହାର ପ୍ରମାଣ ସ୍ୱରୂପ ନାଗାଲ୍ୟାଣ୍ଡରେ ବିଜେପି-ଏନ୍ଡିପିପି ମେଣ୍ଟ କ୍ଷମତା ଦଖଲକୁ ନିଆଯାଇପାରେ ।
ହିମନ୍ତ ବିଶ୍ୱ ଶର୍ମା: ୨୦୧୫ରେ ବିଜେପିରେ ସାମିଲ ହେବା ପୂର୍ବରୁ ହିମନ୍ତ ବିଶ୍ୱ ଶର୍ମା କଂଗ୍ରେସର ଜଣେ ସକ୍ରିୟ ନେତା ଭାବେ ପରିଚୟ ଲାଭ କରିଥିଲେ । ଆସାମର ତତ୍କାଳୀନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗେଇଙ୍କ ସହ ମନାନ୍ତର ପରେ ହିମନ୍ତ ବିଶ୍ୱ ଶର୍ମା ବିଜେପିରେ ଯୋଗଦେଇଥିଲେ । ଆସାମ ବିଧାନସଭା ନିର୍ବାଚନ ସମୟରେ ସେ ହିଁ ବିଜେପିର ପ୍ରଚାର ମଙ୍ଗ ଧରିଥିଲେ । ଆସାମରେ ବିଜେପି ଜିତିବା ପରେ ହିମନ୍ତଙ୍କୁ ଦଳ ପକ୍ଷରୁ ମେଘାଳୟା, ତ୍ରିପୁରା ଓ ନାଗଲ୍ୟାଣ୍ଡ ଦାୟିତ୍ୱ ଦିଆଯାଇଥିଲା । ହିମନ୍ତ ବିଜେପିକୁ ଆସିବା ପରେ ଅନେକ କଂଗ୍ରେସ ନେତାଙ୍କୁ ଆଣି ନିଜ ଦଳରେ ସାମିଲ କରିଛନ୍ତି । ସମ୍ବଳ ସୃଷ୍ଟି କରିବା ପରେ ହିମନ୍ତଙ୍କ ଭୂମିକା ମଧ୍ୟ ରହିଛି । ଏଥିପାଇଁ ସେ ଏବେ ବିଜେପିର ଜଣେ ଆଗଧାଡ଼ିର ନେତା ହେବାର ପରିଚୟ ହାସଲ କରିଛନ୍ତି ।
ବିପ୍ଲବ କୁମାର ଦେବ: ତ୍ରିପୁରାର ମୁଖ୍ୟମନ୍ତ୍ରୀ ହେବା ଦୌଡ଼ରେ ସବୁଠୁ ଆଗରେ ଥିବା ବିପ୍ଲବ କୁମାର ଦେବ ହେଉଛନ୍ତି ବିଜେପିର ରାଜ୍ୟ ସଭାପତି । ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ପୂର୍ବତନ ପ୍ରଚାରକ ଶ୍ରୀ ଦେବଙ୍କୁ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି କୁହାଯାଇ ନଥିଲେ ହେଁ, ସେ ହିଁ ଏଠାରେ ଦଳକୁ ମଜଭୁତ୍ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ତ୍ରିପୁରାରେ ଘରକୁ ଘର ବୁଲି ଶ୍ରୀ ଦେବ ହିଁ ଲୋକଙ୍କୁ ବିଜେପିକୁ ଭୋଟ୍ ଦେବାକୁ ଅନୁରୋଧ କରିଥିଲେ । କଂଗ୍ରେସ ବିଧାୟକ ସୁଦୀପ ରୟ ବରମନଙ୍କୁ ବିଜେପିରେ ସାମିଲ କରାଇବାରେ ଶ୍ରୀ ଦେବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ।
ସୁନୀଲ ଦେଓଧର: ଆରଏସଏସରେ ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା ହିସାବରେ ମେଘାଳୟରେ କାର୍ଯ୍ୟ କରୁଥିଲେ ସୁନୀଲ ଦେଓଧର । ଏହି ଅଞ୍ଚଳରେ ସଂଘର ଦବଦବାକୁ ପ୍ରସାର କରିବା ପାଇଁ ସୁନୀଲଙ୍କ ଭୂମିକା ଗ୍ରହଣ କରିଥିଲେ । ତ୍ରିପୁରାରେ ଘର ଘର ବୁଲି ପ୍ରଚାର କରିବା ଯୋଜନାର ମାଷ୍ଟରମାଇଣ୍ଡ ହେଉଛନ୍ତିି ସୁନୀଲ । ସେ ହିଁ ବିପ୍ଲବ କୁମାର ଦେବକୁ ରାଜନୀତିକୁ ଆଣିଥିଲେ । ଆରଏସଏସର ଜଣେ ଠାଣୁଆ ପ୍ରଚାରକ ଭାବେ ଜଣାଶୁଣା ବିପ୍ଲବ ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡ଼ିକର ଅନେକ ଟାଣୁଆ ନେତାଙ୍କୁ ବିଜେପିରେ ସାମିଲ କରାଇ ଦଳକୁ ସଶକ୍ତ କରିଥିଲେ । ବିପ୍ଲବ କୁମାର ଦେବ ତ୍ରିପୁରାରେ ବିଏ ପାଠପଢ଼ା ଶେଷ କରିବା ପରେ ଦିଲ୍ଲୀ ଚାଲି ଆସିଥିଲେ । ଏଠାରେ ପ୍ରାୟ ଦୀର୍ଘ ୧୫ ବର୍ଷ କାଳ ରହି ବିଭିନ୍ନ ସାଂଗଠନିକ କାର୍ଯ୍ୟ କରିଥିଲେ । ଦିଲ୍ଲୀରେ ପ୍ରଥମେ ସେ ଜଣେ ଜିମ୍ ଟ୍ରେନର ଭାବେ କାର୍ଯ୍ୟ କରିଥିଲେ । ଏହି ସମୟରେ ସେ ଆରଏସଏସ ପାଇଁ ପ୍ରଚାର ପ୍ରସାର ମଧ୍ୟ କରୁଥିଲେ । ୨୦୧୬ ମସିହା ଜାନୁଆରୀ ୭ରେ ତାଙ୍କୁ ତ୍ରିପୁରାର ବିଜେପି ରାଜ୍ୟ ସଭାପତି କରାଯାଇଥିଲା । ବିଜେପି ଏଠାରେ କେମିତି ଦଖଲ କରିବ, ସେଥିପାଇଁ ବିପ୍ଲବଙ୍କୁ ସମସ୍ତ ଦାୟିତ୍ୱ ଦିଆଯାଇଥିଲା । ଏହି ଦାୟିତ୍ୱକୁ ଠିକ୍ ଭାବେ ନିର୍ବାହ କରିବା ପାଇଁ ବିପ୍ଲବ ଦିନରାତି ଏକ କରିଦେଇଥିଲେ । ତ୍ରିପୁରାର ଆଦିବାସୀମାନେ ସାଧାରଣତଃ ବାମପନ୍ଥୀ ମେଣ୍ଟକୁ ଭୋଟ୍ ଦେଇଥାଆନ୍ତି କିନ୍ତୁ ବିପ୍ଲବ ବେଶ ସତର୍କତାର ସହ ସେମାନଙ୍କ ଭୋଟକୁ ନିଜ ଦଳ ସପକ୍ଷରେ କରାଇବାରେ ସମର୍ଥ ହୋଇଥିଲେ ।