ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ଲଗାଣ ବର୍ଷା ବଢାଉଛି ଲୋକଙ୍କ ଦୁଃଖ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଫଳରେ ଓଡିଶାର ଆଭ୍ୟନ୍ତରୀଣ ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ହେଉଛି । ସାରା ରାଜ୍ୟ ଲଗାଣ ବର୍ଷାରେ ବେହାଲ ହେଉଥିବା ବେଳେ ଏବେ ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି । ବର୍ଷା ପାଇଁ ଓଡିଶାର ମହାନଦୀ,ବୈତରଣୀ,କୁଶଭଦ୍ରା ଓ ଦେବୀ ନଦୀର ଜଳସ୍ତର କ୍ରମଶଃ ବଢୁଥିବାର ଦେଖାଯାଇଛି । ମହାନଦୀର ଅବବାହିକାରେ ଥିବା ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେଉଥିବାରୁ ମହାନଦୀର ଜଳସ୍ତର ବଢୁଛି । ସେହିପରି ବୈତରଣୀ ନଦୀରେ ମଧ୍ୟ ଜଳସ୍ତର ମଧ୍ୟ ବଢୁଛି । ଆଖୁଆପଦାରେ ଜଳସ୍ତର ବିପଦ ସଂକେତ ନିକଟରେ ରହିଛି । ବୈତରଣୀର ବିପଦ ସଙ୍କେତ ୧୭.୮୩ ଥିବାବେଳେ ଏଠାରେ ନଦୀର ଜଳସ୍ତର ୧୭ .୭୦ ରହିଛି । ମୋଟାମୋଟି ଭାବେ ଓଡିଶାରେ ସାମ୍ଭାବ୍ୟ ବନ୍ୟାର ପରିସ୍ତିତି ସୃଷ୍ଟି ହୋଇଛି ।
ତେବେ ବାଲେଶ୍ୱର ଠାରୁ ୭୮ କିମି ଦୂରରେ ଅବପାତ ରହିଛି । ଏହା ଆଗାମୀ ସମୟରେ ତୀବ୍ର ଅବପାତର ରୂପ ନେଇପାରେ ବୋଲି ଅନୁମାନ କରାଯାଉଛି । ଫଳରେ ସମଗ୍ର ଓଡ଼ିଶାର ଅର୍ଦ୍ଧାଧିକ ଅଂଚଳରେ ବର୍ଷା ଲାଗିରହିବ ବୋଲି କୁହାଯାଉଛି । ଅନ୍ୟପଟେ ଏବେଯାଏଁ ପାରାଦୀପରେ ସର୍ବାଧିକ ୪୧୨ ଏମଏମ ବର୍ଷା ରେକର୍ଡ଼ ହୋଇଥିବା ବେଳେ ଚାନ୍ଦବାଲିରେ ୧୯୨.୮, କଟକରେ ୧୦୫. ୪ ମିମି , ଭୁବନେଶ୍ୱରରେ ୯୭ ମିମି ବର୍ଷା ରେକର୍ଡ଼ ହୋଇଛି ।