ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ଅନୁମାନ କରିଛି ପଣିପାଗ ବିଭାଗ । ଆଗାମୀ ୨୪ ଘଣ୍ଟା ସତର୍କ ରହିବାକୁ ପାଣିପାଗ ବିଭାଗ କହିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଏବେ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ମଧ୍ୟବର୍ତ୍ତୀ ଅଞ୍ଚଳ ଦିଘା ନିକଟରେ ରହିଛି। ଯାହାର ପ୍ରଭାବରେ ଓଡିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି । ୨୪ ଘଣ୍ଟା ପରେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଧୀରେ ଧୀରେ ଗତି କରି ଦୁର୍ବଳ ହେବ ଲଘୁଚାପ। କିନ୍ତୁ ଏହି ସମୟ ମଧ୍ୟରେ ସାରା ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହେବ ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ପ୍ରବଳ ବର୍ଷା ସହ ଘଡଘଡି ମଧ୍ୟ ମାରିବ ବୋଲି କହିଛି ଭୁବନେଶ୍ୱର ପାଣିପାଗ ବିଭାଗ । ଏହାସହ ସମୁଦ୍ରକୁ ମତ୍ସ୍ୟଜୀବୀ ମାନେ ନ ଯିବାକୁ ମଧ୍ୟ ବାରଣ କରାଯାଇଛି ।ରାଜ୍ୟରେ ଏବେ ବି ବର୍ଷା ଜାରିରହିଛି । ଏପରିକି ରାଜ୍ୟରେ ବନ୍ୟା ପରିସ୍ଥତି ମଧ୍ୟ ସୃଷ୍ଟି ହେବାରେ ଲାଗିଛି । ମହାନଦୀ ସମେତ ବୈତରଣୀ ନଦୀରେ ଜଳସ୍ତର କ୍ରମଶଃ ବଢୁଥିବାରୁ ସାମ୍ଭାବ୍ୟ ବନ୍ୟା ଆସିବାର ଆନୁମାନ କରାଯାଉଛି ।