ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; କ୍ରିକେଟ ଷ୍ଟାଡିୟମରେ ବିଜୟ ମାଲ୍ୟା । ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ଦେଖିବାକୁ ଦର୍ଶକଙ୍କ ଗ୍ୟାଲେରୀରେ ପହଞ୍ଚିଲେ ଆଗଧାଡିର ବ୍ୟବସାୟୀ ବିଜୟ ମାଲ୍ୟା । ଭାରତରେ ଥିବା ବ୍ୟାଙ୍କ ମାନଙ୍କ ଠାରୁ ୯୦୦୦ କୋଟି ଠକି ବିଦେଶରେ ଲୁଚି ଛପି ରହୁଥିବା ବିଜୟ ମାଲ୍ୟାଙ୍କୁ ଗତକାଲି ଇଂଲଣ୍ଡର ଓଭାଲ ଗ୍ରାଉଣ୍ଡରେ ଦେଖାଯାଇଛି । ସେହି ପୁରୁଣା ଅନ୍ଦାଜରେ ଅର୍ଥାତ ନିଜ ପସନ୍ଦର ଟ୍ରାଉଜର, ବ୍ଲେଜର ସହ ଆଖିରେ କଳା ଚଷମା ଲଗାଇ ଗ୍ୟାଲେରୀ ମଧ୍ୟକୁ ପ୍ରବେଶ କରିଥିଲେ ବିଜୟ ମାଲ୍ୟା । ବ୍ୟାଙ୍କ ଠାରୁ ଋଣ ନେଇ ଫେରାର ହୋଇଥିବା ବିଜୟ ମାଲ୍ୟାଙ୍କୁ ଏବେଯାଏ ଇଂଲଣ୍ଡର ବହୁ ନାମୀଦାମୀ ହୋଟେଲ ତଥା ପାର୍ଟି ଏମିତି କି କ୍ରିକେଟ ଷ୍ଟାଡିୟମରେ ମଧ୍ୟ ଦେଖାଯାଇଥିବା ବେଳେ ସେ ଭାରତ କେବେ ଫେରିବେ ସେ ନେଇ କୌଣସି ଖବର ସ୍ପଷ୍ଟ ହୋଇପାରିନଥିଲା ।
ଗତକାଲି ବିଜୟ ମାଲ୍ୟାଙ୍କୁ କ୍ରିକେଟ ଷ୍ଟାଡିୟମରେ ଦେଖି ଗଣମାଧ୍ୟମ ପ୍ରତିନିଧି ମାନେ ସେ କେବେ ଭାରତ ଫେରିବେ ବୋଲି ପ୍ରଶ୍ନ କରିଥିଲେ । ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ବିଜୟ ମାଲ୍ୟା ହସି ହସି “ମୁ ଭାରତ ଫେରିବି କି ନାହିଁ ସେ ନିଷ୍ପତି ଜଜ୍ ନେବେ” ବୋଲି କହିଥିଲେ । ସେପଟେ ବିଜୟ ମାଲ୍ୟାଙ୍କ ଭାରତ ପତ୍ୟାର୍ପଣ ମାମଲା ନେଇ ବ୍ରିଟେନର ଏକ କୋର୍ଟରେ ଶୁଣାଣି ଚାଲିଥିବା ଜଣାପଡିଛି । ସେ ଭାରତରେ ଥିବା ବ୍ୟାଙ୍କ ମାନଙ୍କ ଠାରୁ ୯୦୦୦ କୋଟି ଠକି ବିଦେଶ ଚାଲିଯାଇଥିବା ଘଟଣା କୁ ନେଇ ବହୁ ସମାଲୋଚନାର ଶିକାର ହୋଇସାରିଛନ୍ତି । କେହି କେହି ତାଙ୍କୁ ପଳାତକ ବୋଲି ମଧ୍ୟ କହିଛନ୍ତି । ତେବେ ସେ ଭାରତ କେବେ ଫେରିବେ ସେ ନିଷ୍ପତି କୋର୍ଟ ନେବ ବୋଲି ବିଜୟ ମାଲ୍ୟା ଗତକାଲି କହିଛନ୍ତି ।