ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ଭାରତ ବନ୍ଦ । ଅହେତୁକ ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସାରା ଦେଶରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ସକାଳ ୬ଟାରୁ ଏହି ବନ୍ଦ ପାଳନ ଆରମ୍ଭ ହୋଇଯାଇଛି ।
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ପ୍ରେଟ୍ରୋଲ , ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ପ୍ରଥମେ ରାହୁଲ ରାଜଘାଠକୁ ଯାଇ ମହାତ୍ମାଗାନ୍ଧୀଙ୍କ ସ୍ମୃତି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରି ରାଲିରେ ବାହାରିଥିଲେ ।
ଶାନ୍ତି ପୂର୍ବକ ଭାବେ ସବୁ ସ୍ଥାନରେ ବନ୍ଦ ପାଳନ କରାଯାଉଥିବା ର ସୂଚନା ମିଳୁଛି । କଂଗ୍ରେସକର୍ମୀମାନେ ଜନଗହଳି ପୂର୍ଣ୍ଣ ଛକ, ରାଜରାସ୍ତାରେ ପିକେଟିଂ କରୁଛନ୍ତି । ସମସ୍ତ ଦୋକାନ ବଜାର ବନ୍ଦ କରିବା ସହ ରେଳ ଧାରଣାରେ ଶୋଇ ରହିଛନ୍ତି କଂଗ୍ରେସକର୍ମୀ ।
ଏପଟେ ଓଡିଶାର ବିଭିନ୍ନ ସ୍ଥାନରେ ମଧ୍ୟ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । କଂଗ୍ରେସ ମୁଖିଆ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ବିଶାଳ ରାଲି ବାହାରି ଏହି ବନ୍ଦ ଡାକରାକୁ ସଫଳ କରିବା ପାଇଁ ଚେଷ୍ଟା କରାଯାଇଛି । କଂଗ୍ରେସକର୍ମୀମାନେ ପ୍ରତ୍ୟେକ ଖୋଲା ରହିଥିବା ଦୋକନ ବଜାରକୁ ବନ୍ଦ କରିବା ସହିତ ରାଜରାସ୍ତାରେ ଧାରଣା ଦେଇ ତୈଳ ଦର କମ କରିବା ପାଇଁ ଶ୍ଲୋଗାନ ଦେଉଛନ୍ତି ।
ସଂପୂର୍ଣ୍ଣ ଯାନବାହାନ ଚଳାଚଳ ବନ୍ଦ ରହିଛି । ବସ୍ ଷ୍ଟାଣ୍ଡରେ ଅଟକି ରହିଛି ସମସ୍ତ ବସ୍ । ସଧାରଣ ବାଇକ୍ ଚାଳକଙ୍କୁ ରାସ୍ତାରେ ଅଟକାଇ ଦେଇଛନ୍ତି କଂଗ୍ରେସକର୍ମୀ । ଫଳରେ ସାଧାରଣ ଜନତା ଅନେକ ଅସୁବିଧାର ସମୁଖୀନ ହୋଇଛନ୍ତି ।