ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ପୁଣି ରାଜଧାନୀରେ ହତ୍ୟା । ବିବାହିତ ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ । ରେଳ ଧାରଣା କଡରୁ ମିଳିଲା ଯୁବକଙ୍କ ମୃତ ଦେହ । ଭୁବନେଶ୍ୱରର ୟୁନିଟ-୨ ସ୍ଥିତ ପୋଟଳ ବସ୍ତିରେ ରହୁଥିବା ଜଗା ଦାସଙ୍କୁ କେହି ଦୁର୍ବୃତ ହତ୍ୟା କରିଥିବା ଜଣାପଡିଛି । ତାଙ୍କ ମୃତ ଦେହକୁ ମାଉସୀ ମା ମନ୍ଦିର ନିକଟ ରେଳ ଧାରଣାରୁ ଜବତ କରିଛି କମିଶନରେଟ ପୋଲିସ ।
ସୁଚନା ଅନୁସାରେ , ଗତ ଶନିବାର ଦିନ ଜଗା ପ୍ରତିଦିନ ଭଳି ସେ ଦିନ ମଧ୍ୟ ଜିମ କୁ ଯାଇଥିଲେ । ତେବେ ସେ ଆଉ ଘରକୁ ଫେରିନଥିବା ପରିବାର ଲୋରେ ଅଭିଯୋଗ କରିଛନ୍ତି । ଶନିବାର ଦିନ ସଂଧ୍ୟାରେ ଜଗାଙ୍କୁ କେତେଜଣ ଯୁବକ ଗୌତମନଗର ଅଞ୍ଚଳରେ ଅଟକାଇ ମାଡ ମାରିଥିବା ବିଷୟରେ ଖୋଦ ଜଗା ତାଙ୍କ ଭାଉଜଙ୍କୁ ଫୋନ କରି କହିଥିଲେ । ଏହାପରେ ହିଁ ଜଗା ନିଖୋଜ ହୋଇଯାଇଥିବା କୁହାଯାଉଛି । ତେବେ ପରିବାର ଲୋକେ ଏଭଳି ଖବର ପାଇବା ମାତ୍ରେ ପୋଲିସ କୁ ଜଣାଇଥିଲେ । ପୋଲିସ ଗୌତମନଗର ଅଞ୍ଚଳରେ ବହୁ ଖୋଜାଖୋଜି କରି ଜଗାକୁ ପାଇନଥିଲା । ସେପଟେ ଗତକାଲି ମଧ୍ୟାହ୍ନ ସମୟରେ ତାଙ୍କ ମୃତ ଦେହ ମାଉସୀ ମା ମନ୍ଦିର ନିକଟ ରେଳ ଧାରଣାରେ ପଡିଥିବା ଦେଖିବାକୁ ମିଳିଥିଲା । ଖବରପାଇ ଜିଆରପି ଓ କମିଶନରେଟ ପୋଲିସ ଘଟଣାସ୍ଥଳେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଛେଦ ପାଇଁ ଡାକ୍ତରଖାନା ପଠାଇଥିଲା । ତେବେ ପରିବାର ପକ୍ଷରୁ ଜଗାକୁ ହତ୍ୟା କରାଯାଇଥିବା ଅଭିଯୋଗ ହେଇଛି । ସେପଟେ ପୂର୍ବ ଶତୃତାକୁ କେନ୍ଦ୍ରକରି ଜଗାକୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି ।