ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ତୈଳ ଦର ବୃଦ୍ଧିକୁ ନେଇ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାର ପ୍ରଭାବ ପଡିଛି ରେଳବାଇ ଉପରେ । ବାତିଲ କରାଯାଇଛି ୧୦ଟି ଟ୍ରେନ । ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ମିଳିଛି ।
ଏସବୁ ଟ୍ରେନକୁ ଉଭୟ ପଟୁ ବାତିଲ କରାଯାଇଛି । କେନ୍ଦୁଝରଗଡ଼-ଭୁବନେଶ୍ୱର, ଭଦ୍ରକ-ଭୁବନେଶ୍ୱର ପାସେଞ୍ଜର, ଭୁବନେଶ୍ୱର-ବ୍ରହ୍ମପୁର, କଟକ-ପାରାଦ୍ୱୀପ ପାସେଞ୍ଜର, ପୁରୀ-କଟକ ଓ କଟକ-ଭଦ୍ରକ ପାସେଞ୍ଜରକୁ ବାତିଲ କରାଯାଇଥିବା ଜଣାପଡିଛି । ସେହିପରି ଭୁବନେଶ୍ୱର ବିଶାଖାପାଟଣା ଇଣ୍ଟରସିଟି, କଟକ-ଭଦ୍ରକ, ସମ୍ବଲପୁର-ପୁରୀ ଇଣ୍ଟରସିଟି ଓ ପାରାଦ୍ୱୀପ-କଟକ ପାସେଞ୍ଜରକୁ ବାତିଲ କରାଯାଇଛି । ସକାଳୁ ସକାଳୁ ଟ୍ରେନ ବନ୍ଦ ଯୋଗୁ ବହୁ ଯାତ୍ରୀ ନାହିଁନଥିବା ସମସ୍ୟା ଭୋଗିଥିବା ଦେଖିବାକୁ ମିଳିଛି ।