ତାମିଲନାଡୁ (ଏଟିଆର ବ୍ୟୁରୋ):ଆଜିକାଲି ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିକୁ ନେଇ ଜନ ସାଧାରଣ ଖୁବ୍ ଅସୁବିଧାର ସମୁଖୀନ ହେଉଛନ୍ତି । ପରିସ୍ଥିତି ଏଭଳି ହେଲାଣି କି ଲୋକେ ଗାଡି ଚଲାଇବାକୁ ଡରୁଛନ୍ତି । ଏହି ଦର ବୃଦ୍ଧିକୁ ନେଇ ନିକଟରେ କଂଗ୍ରେସ ପକ୍ଷରୁ ଭାରତବନ୍ଦ ଡାକରା ଦିଆଯାଇଥିଲା । କିନ୍ତୁ ସରକାରଙ୍କୁ ଏହାର କୌଣସି ଫରକ ପଡିଲା ନାହିଁ । ମାତ୍ର ଏବେ ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଆଜ୍ଞା ହଁ ଲୋକ ଏବେ ବାହାଘର ପାର୍ଟିରେ ବର-କନ୍ୟାକୁ ଉପହାରରେ ପେଟ୍ରୋଲ ଦେବା ଆରମ୍ଭ କରିଦେଲେଣି । ତିନିଦିନ ପୂର୍ବରୁ ତାମିଲନାଡୁର କୁଡଲୁର ଜିଲ୍ଲାରେ ହୋଇଥିବା ଏକ ବାହାଘରରେ ସାଙ୍ଗମାନେ ମିଶି ବର-ବଧୂକୁ ୫ଲିଟରର ପେଟ୍ରୋଲ କେନ ଉପହାରରେ ଦେଇଥିବା ସୂଚନା ମିଳିଥିଲା । କିନ୍ତୁ ଏବେ ପୁଣି ଏଭଳି ଏକ ମାମଲା ସାମ୍ନାକୁ ଆସିଛି ।
ଏହି ମାମଲ ମଧ୍ୟ କୁଡଲୁର ଜିଲ୍ଲାର ବୋଲି ଜାଣିବାକୁ ମିଳିଛି । ଗତ ସେପ୍ଟମ୍ବର ୧୬ରେ ହୋଇଥିବା ବାହାଘରରେ ସାଙ୍ଗମାନେ ବର-ବଧୂକୁ ଦୁଇଟି ବୋତଲରେ ପ୍ରେଟ୍ରୋଲ ଭରି ଉପହାର ଦେଇଛନ୍ତି । ଯାହା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।
ଏହି ଜରୁରୀ ଇନ୍ଧନର ଦର ଲଗାତର ବୃଦ୍ଧିକୁ ନେଇ ସରକାରଙ୍କୁ ଚେତାଇବା ଲାଗି ଏଭଳି ଉପହାର ଦେଇଥିବା ବରର ଜଣେ ସାଙ୍ଗ ଗଣମାଧ୍ୟମକୁ ଜଣାଇଛନ୍ତି । ସେ ଆହରୁ ମଧ୍ୟ କହିଛନ୍ତି କି ଏହାକୁ ଦୃଷ୍ଟିରେ ରଖି ସରକାର କିଛି ଠୋସ ପଦକ୍ଷପ ଉଠାଇବେ ।