ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ବିଧାନସଭାରେ ଠପ ହେଲା ପ୍ରଶ୍ନକାଳ । ଅଧିକ ସମୟ ଚାଲିପାରିଲାନି ଗୃହ । ବିଧାନସଭାରେ ଦେଖିବାକୁ ମିଳିଛି ଉଭୟ ବିଜେପି ଓ କଂଗ୍ରେସର ହଟ୍ଟଗୋଳ । ହୋହାଲ୍ଲା ନାରାବାଜିରେ କମ୍ପିଲା ବିଧାନସଭା । ଫଳରେ ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି । ଆଜି ବିଧାନସଭା ଆରମ୍ଭ ହେବା ମାତ୍ରେ ବିଜୁ ଯୁବ ବାହିନୀ ନାମରେ ଅର୍ଥ ହେରଫେର ହେଇଥିବା ଅଭିଯୋଗ ଆଣିଥିଲେ ବହୁ ବିଜେପି ବିଧାୟକ । ଦେହରେ କଳା ଗାଉନ ପିନ୍ଧି ବିଜେପି ବିଧାୟକ ମାନେ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ ।
ଅନ୍ୟପଟେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ କଂଗ୍ରେସ ପକ୍ଷରୁ ମୁଲତବି ନୋଟିସ ବାଚସ୍ପତିଙ୍କୁ ଦିଆଯାଇଥିଲା । କିନ୍ତୁ ଏହାକୁ ଗ୍ରହଣ କରିନଥିଲେ ବାଚସ୍ପତି । ତେବେ ଗୃହରେ ମୁଲତବି ପ୍ରସ୍ତାବ ଗ୍ରହଣ ନ ହେବା ଯୋଗୁ ଏହାର ପ୍ରତିବାଦରେ ଗୃହ ମଧ୍ୟରେ ହୋହାଲ୍ଲା କରିଥିଲେ କଂଗ୍ରେସ ବିଧାୟକ । ପରେ ବାଧ୍ୟ ହୋଇ ବାଚସ୍ପତି ଗୃହକାର୍ଯ୍ୟକୁ ଏକ ଘଣ୍ଟା ପାଇଁ ମୁଲତବି ଘୋଷଣା କରିଥିଲେ ।