କଟକ,(ଏଟିଆରବ୍ୟୁରୋ): ବହୁ ଚର୍ଚ୍ଚିତ ପାରାଦୀପ ମହେନ୍ଦ୍ର ସ୍ୱାଇଁ ହତ୍ୟାମାମଲାର ମୁଖ୍ୟ ଅଭିଯୁକ୍ତ ମହିମା ମିଶ୍ର ଆଜି ଆତ୍ମସମର୍ପଣ କରିଛନ୍ତି । ସୁପ୍ରିମକୋର୍ଟ ଜାମିନ ଆବେଦନ ଖାରଜ କରିବା ପରେ ସେ ଖୋଦ ଆଜି କୁଜଙ୍ଗ ଜେଏମଏଫସି କୋର୍ଟରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।
ସ୍ୱିୱେଜ ସିପିଙ୍ଗ ଓ ଲଜିଷ୍ଟିକ ଲିମିଟେଡ ପରିଚାଳକ ମହେନ୍ଦ୍ର ସ୍ୱାଇଁଙ୍କ ହତ୍ୟା ମାମଲାରେ ମୋଟ ୧୦ଜଣଙ୍କ ନାମରେ ଜଗତସିଂହପୁର ପୁଲିସ ଚାର୍ଜସିଟ ଦାଖଲ କରିଥିଲା । ଯେଉଁଥିରେ ମହିମା ମିଶ୍ରଙ୍କ ସମେତ ତାଙ୍କ କମ୍ପାନୀ ନିର୍ଦ୍ଦେଶକ ବସନ୍ତ ବଳଙ୍କ ନାମ ରହିଛି । ମହେନ୍ଦ୍ର ସ୍ୱାଇଁଙ୍କୁ ୨୦୧୬ ଅକ୍ଟୋବର ୨୬ତାରିଖରେ ଆମ୍ବେଦକର ଭବନ ନିକଟରେ ହତ୍ୟା କରାଯାଇଥିଲା । ତେବେ ତଦନ୍ତ ପରେ ମହିମା ମିଶ୍ରଙ୍କ ସମ୍ପୃକ୍ତି ଥିବା ପୁଲିସ ଜାଣିବାକୁ ପାଇଥିଲା । ହେଲେ ମହିମା ମିଶ୍ର ସେତେବେଳକୁ ଫେରାର ହୋଇଯାଇଥିଲେ । ତାଙ୍କ ନାଁରେ ଏଲଓସି ଜାରି କରିଥିଲା ପୁଲିସ ।
ଶେଷରେ ୨୦୧୬ ଡିସେମ୍ବରରେ ତାଙ୍କୁ ବ୍ୟାଙ୍କକରୁ ଗିରଫ କରାଯାଇଥିଲା । ତେବେ ଓଡିଶା ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ଅସୁସ୍ଥ ଦର୍ଶାଇ ଏହି ଜାମିନର ସମୟସୀମା ବଢ଼ାଇବାକୁ ମହିମାଙ୍କ ଓକିଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହେଲେ ମାନ୍ୟବର ସୁପ୍ରିମକୋର୍ଟ ତାଙ୍କ ଜାମିନକୁ ଖାରଜ କରିଥିଲେ ।