ହିମାଚଳ ପ୍ରଦେଶ (ଏଟିଆର ବ୍ୟୁରୋ ) ; କେରଳ ପରେ ଏବେ ହିମାଚଳ ପ୍ରଦେଶରେ ତାଣ୍ଡବ ରଚିଛି ବନ୍ୟା । ଲଗାଣ ବର୍ଷାରେ ବେହାଲ ହୋଇଛି ହିମାଚଳ ପ୍ରଦେଶ । ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ହିମାଚଳ ପ୍ରଦେଶର କୁଲୁରେ ନଦୀରେ ହଠାତ୍ ପାଣି ବଢ଼ିଯିବା ପରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।
ବନ୍ୟା ଯୋଗୁ ବହୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିଣ କରାଯାଇଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାଯ୍ୟ ଆଗେଇ ଚାଲିଛି । ଡୋବି ଅଂଚଳରେ ଅଟକି ରହିଥିବା ୨୬ ଜଣ ଯାତ୍ରୀଂକୁ ଉଦ୍ଧାର କରାଯାଇଥିବା ଖବର ମିଳିଛି ।
ସେପଟେ ବନ୍ୟାର ପ୍ରକୋପ ଅନେକ ମାତ୍ରାରେ ହିମାଚଳ ପ୍ରଦେଶର କୁଲୁରେ ଦେଖିବାକୁ ମିଳିଛି । ବନ୍ୟାର ପ୍ରଖର ସ୍ରୋତରେ ଏକ ଟ୍ରକ ଭାସିଯାଇଛି । ତେବେ ଟ୍ରକ ମଧ୍ୟରେ କେହି ନଥିବା ଜଣାପଡିଛି । ସେହିପରି ମନାଲିରେ ମଧ୍ୟ ଦେଖିବାକୁ ମିଳିଛି ଏପରି କିଛି ଦୃଶ୍ୟ । ବିୟସ ନଦୀର ସ୍ରୋତରେ ଏକ ବସ ମଧ୍ୟ ଭାସିଯାଉଥିବାର ଦେଖାଯାଇଛି । ଅନୁରୂପ ଭାବରେ ବସରେ ମଧ୍ୟ କୌଣସି ଯାତ୍ରୀ ନଥିବା ଜଣାପଡିଛି । କ୍ଷୟକ୍ଷତିର ଏଯାଏ ଆକଳନ କରାଯାଇନାହିଁ । ଅତ୍ୟଧିକ ବର୍ଷା ଯୋଗୁ ବନ୍ୟା ଆସିଥିବା ସୂଚନା ମିଳିଛି । ତେବେ ହିମାଚଳ ପ୍ରଦେଶରେ ଏବେ ବି ବର୍ଷା ଲଗିରହିଥିବା ଜଣା ପଡିଛି ।