ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଉଦ୍ଧତ ହେଉଛନ୍ତି ଟ୍ରାଫିକ କର୍ମଚାରୀ । ନା ମୁହଁରେ ବାଡ଼ବତା ରହୁଛି ନା’ ଶିଖିଛନ୍ତି ଶିଷ୍ଟାଚାର । ଉପରିସ୍ଥ ଅଧିକାରୀ ଲୋକଙ୍କୁ ଭଦ୍ର ବ୍ୟବହାର ଦେଖାଇବାକୁ ବାରମ୍ବାର ବୁଝାଇ ଆସୁଥିବା ବେଳେ ଟ୍ରାଫିକ୍ କର୍ମଚାରୀମାନେ କିନ୍ତୁ ନଛୋଡ ବନ୍ଧା । ଯାହା ମୁହଁକୁ ଆସିଲା ଠିଆଠିଆ ବକୁଛନ୍ତି । ଦେଖିଲେ ଲାଗୁଛି ସତେ ଯେମିତି ତାଙ୍କ ପୈତୃକ ସମ୍ପତିରୁ ଫାଳେ କିଏ ନେଇଯାଉଛି ।
ଯାହାର ଆଉ ଏକ ନଗ୍ନ ଦୃଶ୍ୟ ସାମ୍ନାକୁ ଆସିଛି ଏଜି ଛକରେ । ଜଣେ ମହିଳା କନଷ୍ଟେବଳଙ୍କ ଭାଷାଗତ ଜ୍ଞାନ ଉପସ୍ଥିତ ଲୋକଙ୍କୁ ଏବେ ତାଜୁବ କରିଛି । କ’ଣ ଟା ତାଡିବୁ’ କହି ଏବେ ଚର୍ଚ୍ଚାର କେନ୍ଦ୍୍ରବିନ୍ଦୁ ପାଲଟିଛନ୍ତି ମହିଳା କନଷ୍ଟେବଳ । ମିଳିଥିବା ରିପୋର୍ଟ ଅନୁସାରେ, ଜିତେନ୍ଦ୍ର ମହାନ୍ତି ନାମକ ଜଣେ ଗଣମାଧ୍ୟମ ପ୍ରତିନିଧି କ୍ୟାପିଟାଲ ଥାନା ଆଡୁ ସୂଚନା ଭବନକୁ ଆସୁଥିଲେ । ତେବେ ଏଜି ଏଜି ଛକ ପାଖରେ ସେ ରାଜମହଲ ଆଡକୁ ମୁହଁ କରି ୟୁଟର୍ଣ୍ଣ ନେବାକୁ ଚାହିଁଥିଲେ ।
ଯାହାକୁ ପ୍ରଥମେ ବିରୋଧ କରିଥିଲେ ଜଣେ ଟ୍ରାଫିକ୍ କନଷ୍ଟେବଳ । ୟୁଟର୍ଣ୍ଣ ବନ୍ଦ ବୋଲି କହିଥିଲେ । ତେବେ ରାଜମହଲ ଯିବାକୁ ଚାହିଁଲେ ଲୋକେ କେମିତି ଯିବେ ବୋଲି ଜିତେନ୍ଦ୍ର ପଚାରିବାରୁ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । ଠିକ ଏହି ସମୟରେ ଉକ୍ତ ମହିଳା କନଷ୍ଟେବଳ ପହଞ୍ଚି ନିଜର ପୁଲିସିଆ ଭାଷା ପ୍ରୟୋଗ କରିଥିଲେ । ଜିତେନ୍ଦ୍ର ନିଜକୁ ଏକ ଗଣମାଧ୍ୟମ ପ୍ରତିନିଧିର ପରିଚୟ ଦେଇଥିଲେ ମଧ୍ୟ ଓଲଟି ବ୍ୟବହାର ଠିକ କରିବା ବଦଳରେ କ’ଣ ଟା ମୋର ତାଡିବୁ ବୋଲି ମୁହେଁ ମୁହେଁ ଶୁଣାଇଥିଲେ ସେହି ମହିଳା କନଷ୍ଟେବଳ । ଯାହା ଉପସ୍ଥିତ ଲୋକଙ୍କୁ ତାଜୁବ କରିଥିଲା ।
ଏବେ ଆମର ପ୍ରଶ୍ନ ମହିଳା ପୁଲିସଙ୍କ ପାଟିରେ ଏଭଳି ଭାଷା କେତେଦୂର ଠିକ୍? ସାଧାରଣ ଲୋକଙ୍କୁ ଯେଉଁ ସମ୍ମାନ ଦେବା କଥା ବରିଷ୍ଠ ଅଧିକାରୀ କହୁଛନ୍ତି ଏ କ’ଣ ତାର ବାସ୍ତବ ଚିତ୍ର? ତେବେ ଏହି ଘଟଣାକୁ ନେଇ ଏବେ ସାମ୍ବାଦିକ ମହଲରେ ଅସନ୍ତୋଷର ଦାନା ବାନ୍ଧୁଛି । ଜିତେନ୍ଦ୍ର ଏ ସମ୍ପର୍କରେ ପୁଲିସ ଡିସିପିଙ୍କଠୁ ନେଇ ସିପିଙ୍କୁ ଜଣାଇଛନ୍ତି । ଉଚିତ ପଦକ୍ଷେପ ନନିଆଗଲେ ଏହା ଆଗକୁ ଏକ ଆନ୍ଦୋଳନର ରୂପ ନେବ ବୋଲି ସୂଚନା ମିଳିଛି ।