ପାରାଦୀପ (ଏଟିଆର ବ୍ୟୁରୋ): ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ । ଏହି ଜୟନ୍ତୀ ପାଳନ କରିବା ଲାଗି ସାରା ଦେଶ ଲାଗି ପଡିଛି । ଏହାସହିତ ଗାଁରୁ ସହର ଯାଏଁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମର ଅୟୋଜନ କରାଯାଇଛି । ଏହି ସମୟରେ ଏକ ଅଘଟଣ ସାମ୍ନାକୁ ଆସିଛି ।
ପାରାଦୀପରେ ଆୟୋଜିତ ହୋଇଥିବା ବେଳାଭୂମି ସଫେଇ କାର୍ଯ୍ୟକ୍ରମରେ ଭାଗ ନେଇଥିବା ବିଭିନ୍ନ ସ୍କୁଲର ଛାତ୍ରଙ୍କ ମଧ୍ୟରୁ ୩ ଜଣ ସମୁଦ୍ରରେ ବୁଡି ଯାଇଛନ୍ତି । ଛାତ୍ରଙ୍କୁ ବୁଡି ଯାଉଥିବାର ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗର ଟିମ୍ ଘଟଣା ସ୍ଥଳରେ ପହଁଚି ୨ ଛାତ୍ରଙ୍କୁ ଉଦ୍ଧାର କରିଛନ୍ତି ଏବଂ ଆଉ ଜଣେ ନଖୋଜ ଅଛନ୍ତି । ଏମାନେ ସମସ୍ତେ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ବୋଲି ଜାଣିବାକୁ ମିଳିଛି ।
ଖବରମୁତାବକ, ପାରାଦୀପରେ ଲାଇଟ୍ ହାଉସ ନିକଟରେ ଆୟୋଜିତ ହୋଇଥିବା ଏହି ସ୍ୱଚ୍ଛତା କାର୍ଯ୍ୟ ସରିବା ପରେ ସଭା ଚାଲିଥିଲା । ଏହି ସମୟରେ ୩ ସାଙ୍ଗ ସମୁଦ୍ର ଆଡକୁ ବୁଲିବା ପାଇଁ ଚାଲି ଯାଇଥିଲେ । ଜୁଆର ଅଧିକ ଥିବାରୁ ସେମାନେ ସମୁଦ୍ର ଭିତରକୁ ଟାଣି ହୋଇ ଯାଇଥିଲେ ।