ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଦେଶର ୪୬ ତମ ପ୍ରଧାନ ବିଚାରପତି ନେଲେ ଶପଥ । ସୁପ୍ରୀମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ରଞ୍ଜନ ଗୋଗୋଇ । ଆଜି ରାଷ୍ଟ୍ରପତି ଭାବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଶପଥ ନେଇଛନ୍ତି ଜଷ୍ଟିସ ରଞ୍ଜନ ଗୋଗୋଇ । ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ଶପଥପାଠ କରାଇଛନ୍ତି । ସେ ଦେଶର ୪୬ ତମ ପ୍ରଧାନ ବିଚାରପତି ଭାବେ ଦେଶର ଆଇନ ଶୃଙ୍ଖଳା କ୍ଷେତ୍ରରେ ଆବଶ୍ୟକୀୟ ପଦକ୍ଷେପ ନେବେ ।
ଜଷ୍ଟିସ ଗୋଗୋଇ ୨୦୧୧ ମସିହା ଫେବୃଆରୀ ୧୨ ତାରିଖରେ ପଞ୍ଜାବ ଓ ହରିଆଣା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଇଥିବା ବେଳେ ୨୦୧୨ରେ ସୁପ୍ରୀମକୋର୍ଟର ବିଚାରପତି ଭାବେ କାର୍ଯ୍ୟ ତୁଲାଇଥିଲେ । ସୁଚନାଯୋଗ୍ୟ , ସୁପ୍ରୀମକୋର୍ଟର ୪୫ ତମ ପ୍ରଧାନ ବିଚାରପତି ଭାବେ ଗତକାଲି ଜଷ୍ଟିସ ଦୀପକ ମିଶ୍ରଙ୍କ କାର୍ଯ୍ୟକାଳ ପୁରିଛି ।
ଆଜିର ଶପଥଗ୍ରହଣ ଉତ୍ସବରେ ଜଷ୍ଟିସ ଦୀପକ ମିଶ୍ର ମଧ୍ୟ ଉପସ୍ଥିତ ରହିଥିଲେ । ଏହାସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଗୃହମନ୍ତ୍ରୀ ରାଜନାଥ ସିଂହ ,ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହ ପ୍ରମୁଖ ମଧ୍ୟ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗଦାନ କରିଥିଲେ । ତେବେ ଜଷ୍ଟିସ ରଞ୍ଜନ ଗୋଗୋଇ ସୁପ୍ରୀମକୋର୍ଟର ପ୍ରଧାନ ବିଚାରପତିଭାବେ ୧ ବର୍ଷ ୧ ମାସ ୧୪ ଦିନ କାର୍ଯ୍ୟ କରିବେ ବୋଲି ଜଣାପଡିଛି । ୨୦୧୯ ନଭେମ୍ବର ୧୭ ତାରିଖରେ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ କାର୍ଯ୍ୟକାଳ ସମାପ୍ତ ହେବ ।