ସୁନ୍ଦରଗଡ (ଏଟିଆର ବ୍ୟୁରୋ) : ସୁନ୍ଦରଗଡ ଜିଲ୍ଲା ହେମଗିରି ଥାନା ବାଙ୍କବାହାଲରେ ଅଞ୍ଚଳରେ ଦେଖାଦେଇଛି ଏକ ଅଭାବନୀୟ ଘଟଣା । ଇଟାଭାଟି ନିକଟରୁ ପରିତ୍ୟକ୍ତ ଅବସ୍ଥାରେ ଉଦ୍ଦାର ହୋଇଛି ବାପ-ପୁଅଙ୍କ ମୃତଦେହ । ମୃତକ ବାପ-ପୁଅ ହେଲେ ପୋଡମୁଣ୍ଡୀର ମୋହନ ଭୈସାଲ ଓ ଅନାଦୀ ଭୈସାଲ । ଉଭୟ ବାପ-ପୁଅ ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସ ପ୍ରଥମିକ ତଦନ୍ତରୁ ସନ୍ଦେହ କରିଛି କାରଣ ପୋଲିସ ପହଁଞ୍ଚିବା ପରେ ମୃତଦେହ ନିକଟରୁ ଘାସମରା ବିଷ ବୋତଲ ପାଇଛି ।
ଆଜି ସକାଳେ ସ୍ଥାନୀୟ ଲୋକ ଶୈାଚ ହେବାକୁ ଆସିଥିବାବେଳେ ଉଭୟ ବାପ-ପୁଅଙ୍କ ଶବକୁ ଦେଖିଥିଲେ ଏବଂ ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଞ୍ଚିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ ଓ ପରେ ପରିବାର ଲୋକ ମୃତଦେହକୁ ଚିହ୍ନିଥିଲେ ।
ମୃତକ ବାପ-ପୁଅ ପୋଡମୁଣ୍ଡିର ହୋଇଥିଲେ ହେଁ ଉଭୟଙ୍କ ଶବ ବାଙ୍କୀବାହାଲରୁ ଉଦ୍ଦାର ହୋଇଛି । ଏଣୁ ଘଟଣାଟି ସନ୍ଦେହଘେରକୁ ଟାଣିନେଉଛି କାରଣ ପୋଡମୁଣ୍ଡିରୁ ବାଙ୍କିବାହାଲ ଅନେକ ଦୂର । ଆତ୍ମହତ୍ୟା ପାଇଁ କେହି କଣ ଏତେ ଦୂର ଆସିଥିବ ? କେହି ହତ୍ୟାକରି ଆତ୍ମହତ୍ୟାର ରୂପ ଦେଇନି ତ ? ଏଭଳି ପୋଲିସ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଠି ହୋଈଛି । ବାପ-ପୁଅଙ୍କ ମୃତ୍ୟୁ ସନ୍ଦେହଘେରରେ ଥିବାବେଳେ ବର୍ତ୍ତମାନ ତଦନ୍ତ ଉପରେ ନିର୍ଭର କରୁଛି ଘଟଣାର ସତ୍ୟାସତ୍ୟ ।