ଉତ୍ତରପ୍ରଦେଶ (ଏଟିଆର ବ୍ୟୁରୋ ) ; ରାଜନେତା ପଢିବେ ରାଜନୀତିର ପାଠ । ଖୋଲିବ ଦେଶର ପ୍ରଥମ ପଲିଟିକାଲ ଟ୍ରେନିଂ ସ୍କୁଲ । ଯୋଗୀ ପାଳିଲେ ପ୍ରତିଶୃତି । ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ରାଜନେତାଙ୍କୁ ଦେବ ପଲିଟିକାଲ ଟ୍ରେନିଂ । ଏନେଇ ପ୍ରସ୍ତାବକୁ ଉତ୍ତରପ୍ରଦେଶର ସରକାରଙ୍କ ତରଫରୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ତେବେ ଗାଜିଆବାଦରେ ଏହି ଟ୍ରେନିଂ ସ୍କୁଲ ଖୋଲାଯିବ ବୋଲି ସୂଚନା ମିଳିଛି । ଏହି ସ୍କୁଲ ପାଇଁ ଆଦିତ୍ୟନାଥଙ୍କ ସରକାର ୬୦ ଏକର ଜମି ମଧ୍ୟ ଅଧିଗ୍ରହଣ କରିଥିବା ବେଳେ ପାଖାପାଖି ୧୬୮ କୋଟି ଟଙ୍କାର ପ୍ରୋଜେକ୍ଟ ପ୍ରସ୍ତୁତ କରିସାରିଛନ୍ତି ।
ସେପଟେ କ୍ୟବିନେଟ ମଧ୍ୟ ପ୍ରାଥମିକ ପର୍ଯ୍ୟୟରେ ୫୦ କୋଟି ଟଙ୍କାର ବ୍ୟୟ ମଞ୍ଜୁର କରିସାରିଛନ୍ତି । ତେବେ ଦୁଇବର୍ଷ ମଧ୍ୟରେ ଏହି ପଲିଟିକାଲ ଟ୍ରେନିଂ ସ୍କୁଲ ନିର୍ମାଣ ହୋଇଯିବ ବୋଲି ସହର ବିକାଶ ମନ୍ତ୍ରୀ ସୁରେଶ ଖାନ୍ନା ଜଣାଇଛନ୍ତି । ବିଶେଷକରି ଏହି ସ୍କୁଲରେ ରାଜନୀତି ସମ୍ପର୍କରେ ପାଠ ପଢାଯିବ । ମେୟର ଠାରୁ ଆରମ୍ଭ କରି ସାଂସଦଙ୍କ ପର୍ଯ୍ୟନ୍ତ ଅନେକ ପଦବୀ ପାଇଁ ଏହି ପଲିଟିକାଲ ଟ୍ରେନିଂ ସ୍କୁଲରେ ଶିକ୍ଷା ଦିଆଯିବ । ରାଜନେତାମାନଙ୍କ ପାଇଁ ଏହା ବହୁ ସାହାର୍ଯ୍ୟରେ ଆସିବ ବୋଲି ଚର୍ଚ୍ଚା ହେଉଛି । ତେବେ ଯୋଗୀ ସରକାର ଦେଇଥିବା ପ୍ରତିଶୃତି ଖୋଦ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୂରଣ କରିପାରିଛନ୍ତି ।