ଲଣ୍ଡନ (ଏଟିଆର ବ୍ୟୁରୋ) ; ଋଣଭାରରେ ଉବୁଟୁବୁ ହୋଇ ବୁଡି ରହିଛନ୍ତି ମଦ୍ୟ ସମ୍ରାଟ ବୋଲାଉଥିବା ବିଜୟ ମାଲ୍ୟା । ଭାରତରୁ ହଜାର ହଜାର କୋଟି ଟଙ୍କା ଚଳୁ କରି ବିଦେଶ ପଳେଇଥିବା ମାଲ୍ୟା ଏବେ ସଙ୍କଟରେ ପଡିଛନ୍ତି । କାରଣ ହାତରୁ ଗୋଟିଏ ପରେ ଗୋଟିଏ ସମ୍ପତ୍ତି ଖସିବାରେ ଲାଗିଛି । କାରଣ ଏବେ ଲଣ୍ଡନର ରିଜେଣ୍ଟସ୍ ପାର୍କ ଅଞ୍ଚଳରେ ଥିବା ତାଙ୍କର ବହୁତଳ ବିଶିଷ୍ଟ ପ୍ରାସାଦ ହାତରୁ ଖସିଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଯାହାକି ମାଲ୍ୟାଙ୍କୁ ଦାଣ୍ଡରେ ବସାଇବା ଭଳି ପରିସ୍ଥିତି ସୃଷ୍ଟି କରିଛି ।
ଏହି ପ୍ରାସାଦରେ ମାଲ୍ୟା ନିଜ ମା ଏବଂ ପୁଅଙ୍କ ସହ ରହୁଛନ୍ତି। ସେଠାରୁ ସମସ୍ତଙ୍କୁ ବାହାର କରିବା ପାଇଁ ସ୍ବିସ୍ ବ୍ୟାଙ୍କ ‘ୟୁବିଏସ୍ ଏଜି’ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଛି। ଏହି ପ୍ରାସାଦକୁ ବନ୍ଧକ ରଖି ମାଲ୍ୟା ଋଣ ନେଇଥିଲେ। ସେହି ଋଣ ପରିଶୋଧ କରିବାରେ ବିଫଳ ହୋଇଛନ୍ତି। ସେଥିପାଇଁ ତାଙ୍କ ପ୍ରାସାଦ ଉପରେ କବଜା କରିବା ପାଇଁ ବ୍ୟାଙ୍କ ପକ୍ଷରୁ ବ୍ରିଟେନ୍ ହାଇକୋର୍ଟରେ ଆବେଦନ କରାଯାଇଛି। ଏହି ମାମଲାର ଶୁଣାଣି ଚଳିତ ମାସ ୨୪ ତାରିଖରେ ହେବ। ୨୦୧୨ରେ ଏହି ବିଳାସପୂର୍ଣ୍ଣ ପ୍ରାସାଦକୁ ବନ୍ଧକ ରଖି ମାଲ୍ୟା ୧୯୫ କୋଟି ଟଙ୍କାର ଋଣ ନେଇଥିଲେ। ନିଜର ସଂସ୍ଥା ରୋଜ୍ କ୍ୟାପିଟାଲ୍ ଭେଞ୍ଚର୍ସ ଲିମିଟେଡ୍ ଜରିଆରେ ଋଣ ହାସଲ କରାଯାଇଥିଲା।
ତେବେ ବନ୍ଧକ ବାବଦ ଟଙ୍କା ପରିଶୋଧ ନକରିବାରୁ ମାଲ୍ୟାଙ୍କୁ ଏହି ପ୍ରାସାଦ ଛାଡିବା ପାଇଁ କୋର୍ଟ ଅନୁକତି ଦେଇଥିଲା । ନିଜର ପ୍ରାସାଦକୁ ବଞ୍ଚାଇବା ପାଇଁ ରୋଜ୍ କ୍ୟାପିଟାଲ୍ ଜରିଆରେ ମାଲ୍ୟା ବହୁବାର ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି। ଋଣ ଅର୍ଥକୁ ଅନ୍ୟ ଏକ ବ୍ୟାଙ୍କ (ସିବିଏଚ୍ ବ୍ୟାଙ୍କ) ଜରିଆରେ ରିଫାଇନାନ୍ସ କରିବାକୁ ଉଦ୍ୟମ କରାଯାଇଥିଲା। କିନ୍ତୁ ତାହା ସଫଳ ହେଲାନାହିଁ। ଅନ୍ୟ କୌଣସି ସଂସ୍ଥା ସେହି ଋଣ ଅର୍ଥକୁ ରିଫାଇନାନ୍ସ କରିବା ପାଇଁ ଆଗ୍ରହ ଦେଖାଉନାହାନ୍ତି।