ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଇଚ୍ଛାମୃତ୍ୟୁ ମାଗିଲେ ସେବାୟତ । ସୁପ୍ରୀମକୋର୍ଟରେ ପୁରୀ ଶ୍ରୀମନ୍ଦିରର ଜଣେ ସେବାୟତ ଇଚ୍ଛାମୃତ୍ୟୁ ଆବେଦନ କରିଛନ୍ତି । ସେ ସୁପ୍ରୀମକୋର୍ଟକୁ ଦେଇଥିବା ପାର୍ଥନାପତ୍ରରେ ଏପରି ଗୁହାରି କରିଛନ୍ତି । ସେବାୟତ ଜଣକଙ୍କ ନାମ ନରସିଂହ ପୂଜାପଣ୍ଡା ବୋଲି ଜଣାପଡିଛି । ଇଚ୍ଛାମୃତ୍ୟୁ ଆବେଦନକୁ ନେଇ ଖୋଦ ସେବାୟତ ଜଣକ ସ୍ୱିକାର କରିଛନ୍ତି ।
ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ଦାନ ଦକ୍ଷିଣାରେ ସେ ପରିବାର ପ୍ରତିପୋଷଣ କରୁଥିଲେ । କୋର୍ଟ ଏହା ଉପରେ କଟକଣା ଲଗାଇଦେବା ଯୋଗୁ ତାଙ୍କ ପରିବାର କେମିତି ଚଳିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାସହ ଅନ୍ୟାନ୍ୟ ସେବାୟତ ମାନେ ମଧ୍ୟ କେମିତି ସେମାନଙ୍କ ପରିବାର ମୂଖରେ ଦାନା ଦେବେ ବୋଲି କହିଛନ୍ତି । କୋର୍ଟ ଶ୍ରୀମନ୍ଦିରରେ ଦାନ ଦକ୍ଷିଣାକୁ ବନ୍ଦ କରିଦେଲେ , ତୁଳସୀ ଓ ଭୋଗ ଦେବାକୁ ବି ମନା କରିଦେଲେ । ଏପରି ପରିସ୍ଥିତିରେ ଜଣେ ସେବାୟତ କିପରି ଚଳିପାରିବ ବୋଲି ନରସିଂହ ନିଜ ପାର୍ଥନା ପତ୍ରରେ କହିଛନ୍ତି ।
ଏହାସହ ତାଙ୍କ ସାତପିଢି ଭକ୍ତଙ୍କ ଦାନ ଦକ୍ଷିଣାରେ ଚଳିଆସୁଥିବା ବେଳେ ସୁପ୍ରୀମକୋର୍ଟଙ୍କ ଏପରି ନିଷ୍ପତିରେ ତାଙ୍କ ପରିବାର ପ୍ରତି ପୋଷଣରେ ବାଧା ସୃଷ୍ଟି କରିବ ବୋଲି ସେ କହିଛନ୍ତି । ସେ ଏହା ପୂର୍ବରୁ ରାଜ୍ୟ ସରକାରଙ୍କୁ ଇଚ୍ଛାମୃତ୍ୟୁ ମାଗିଥିଲେ ବି ରାଜ୍ୟ ସରକାର ତାଙ୍କୁ ଅନୁମତି ଦେଇନଥିଲେ । ଏହାପରେ ସେ ପୁଣି ଦେଶକୁ ଇଚ୍ଛାମୃତ୍ୟୁ ମାଗିଛନ୍ତି । ଯଦି ତାଙ୍କୁ ଇଚ୍ଛାମୃତ୍ୟୁ ମିଳେ ତେବେ ସେ ଚୀରଉପକୃତ ହେବେ ବୋଲି ନରସିଂହ କହିଛନ୍ତି ।
ସୁଚନାଯୋଗ୍ୟ ଯେ , ସୁପ୍ରୀମକୋର୍ଟ ଶ୍ରୀମନ୍ଦିରରେ ସଂସ୍କାର ନେଇ ୧୨ ଟି ନିର୍ଦ୍ଦେଶାବଳୀ ଦେଇଥିଲେ । ଏଥିରେ ବଂଶାନୁକ୍ରମିକ ସେବା ପରମ୍ପରା ଉଚ୍ଛେଦ , ସେବକ ନିଯୁକ୍ତି , ଧାଳିରେ ଦକ୍ଷିଣା ଆଦାୟ ବନ୍ଦ , ଅନ୍ନଦାନ ଆଟିକା ପାଇଁ ପାଉଣା ଅଦାୟ ଉପରେ ରୋକ ଲଗାଇଥିଲେ । ତେବେ ଏହାକୁ ନେଇ ସେବାୟତମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଥିଲା ।