ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଉ ମାତ୍ର କେଇଟା ଦିନ ରହିଲା ବିଶ୍ୱ ହକି । ଏହାକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଡିଜିଟାଲ ମୋଡରେ ରାଜ୍ୟ ସରକାର । ଏଣିିକି ଆଉ ଯାତ୍ରୀଙ୍କୁ ଅସୁବିଧାର ସମୁଖୀନ ହେବାକୁ ପଡିବ ନାହିଁ । ସ୍ମାର୍ଟସିଟି ନାମ ଅନୁଯାୟୀ ଧୀରେ ଧୀରେ ସବୁ କିଛି ସ୍ମାର୍ଟରେ ପରିଣତ ହେବାକୁ ଯାଉଛି । ସେହିପରି ଆଜି ରାଜଧାନୀ ଭୁବନେଶ୍ୱରରେ ‘ମୋ ବସ୍’ ସେବା ଆରମ୍ଭ ହୋଇଛି । ଆନ୍ତର୍ଜାତୀୟ ବିଜୁପଟ୍ଟନାୟକ ବିମାନ ବନ୍ଦରଠାରେ ‘ମୋ ବସ୍’ସେବାର ଶୁଭ ଉଦଘାଟନ୍ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି । ଏହାପରେ ନିଜେ ମୁଖ୍ୟମନ୍ତ୍ରୀ ବସ୍ ଯୋଗେ ସଚିବାଳୟରେ ପହଁଚିଛନ୍ତି ।
ଏହି ‘ମୋ ବସ୍’ ସେବାରେ ୩ଟି ଫେଜ୍ ରହିଛି । ପ୍ରଥମ ଫେଜରେ ୮ଟି ରୁଟ୍ ଦେଇ ୧୦୦ ଟି ବସ୍ ଗଡିବା ଆରମ୍ଭ କରିଛି । ସେହିଭଳି ଦ୍ୱିତୀୟ ଏବଂ ତୃତୀୟ ଫେଜରେ ଶହେଟି ଲେଖାଏଁ ବସ୍ ଚାଲିବ ବୋଲି ଜାଣିବାକୁ ମିଳିଛି ।
ଯାତ୍ରୀ ଆପ୍ ମାଧ୍ୟମରେ ବସ୍ ର ସବିଶେଷ ତଥ୍ୟ ଜାଣି ପାରିବେ । ଯେପରି କି ବସ୍ କେଉଁଠି ଅଛି, କେତେବେଳେ ଆସିବ, କେଉଁ ରୁଟ୍ ଦେଇ ଯାଉଛି ଏବଂ କେତେବେଳେ ପହଁଚିବ । ଏହାସହିତ ଯାତ୍ରା ସମୟରେ ୱାଇଫାଇ ସୁବିଧା ମଧ୍ୟ ରହିଛି ।