କାଲିଫର୍ଣ୍ଣିଆ (ଏଟିଆର ବ୍ୟୁରୋ ) ; ରାତି ଅଧରେ ବାରରେ ଚାଲିଥିଲା ନାଚଗୀତ । ଡ୍ୟାନ୍ସ ବାର ମଧ୍ୟରେ ଗୀତର ତାଳେ ତାଳେ ଝୁମୁଥିଲେ ଲୋକେ । କିନ୍ତୁ ହଠାତ ମାଡିଆସିଲା ବିପଦ । ବନ୍ଧୁକଧାରୀଙ୍କ ଆଖିବୁଜା ଗୁଳି ଚାଳନାରେ ଚାଲିଗଲା ୧୩ ଜଣଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଆମେରିକାର କାଲିଫର୍ଣ୍ଣିଆରେ ଘଟିଛି ।
କାଲିଫର୍ଣ୍ଣିଆର ଥାଉଜେଣ୍ଡ ଓକ୍ସ ସ୍ଥିତ ଏକ ଡ୍ୟାନ୍ସ ବାରରେ ଗତକାଲି ରାତିପ୍ରାୟ ୧୧.୨୦ ସମୟରେ ନାଚ ଗୀତ ଚାଲିଥିଲା । ଶତାଧିକ ଲୋକେ ଡ୍ୟାନ୍ସ ବାରରେ ଉପସ୍ଥିତ ଥିବା ବେଳେ ହଠାତ ବନ୍ଧୁକଧାରୀ ବାର ମଧ୍ୟକୁ ପ୍ରବେଶ କରିଥିଲେ । ଦେଖୁ ଦେଖୁ ଲୋକଙ୍କ ଉପରକୁ ଆଖିପିଛୁଳାକେ ପାଖାପାଖି ୩୦ ରାଉଣ୍ଡ ଗୁଳି ଚଳାଇଥିଲେ ଆତତାୟୀ । ଫଳରେ ଘଟଣାସ୍ଥଳରେ ହିଁ ୧୩ ଜଣ ପ୍ରାଣ ହରାଇଥିବା ବେଳେ ବହୁ ଲୋକ ଗୁରୁତର ଆହତ ହୋଇଛନ୍ତି । ତେବେ ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି ।
ସେପଟେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିଜ ଆୟତକୁ ଆଣିବା ସହ ବନ୍ଧୁକଧାରୀ ଆତତାୟୀକୁ ଗୁଳି କରି ହତ୍ୟା କରିଛି । ଗୁଳିକାଣ୍ଡ ଘଟାଇଥିବା ବନ୍ଧୁକଧାରୀଙ୍କ ପରିଚୟ ମିଳିପାରିନଥିବା ବେଳେ ସେ କେଉଁ ଆତଙ୍କବାଦୀ ସଂଗଠନ ସହ ଜଡୀତ ଅଛି ତାହା ମଧ୍ୟ ଜଣାପଡିନି । ପୋଲିସ ଘଟଣା ସ୍ଥଳରେ ତଦନ୍ତ ଜାରି ରଖିଛି ।
ଅନ୍ୟପଟେ ଗତବର୍ଷ ଆମେରିକାର ଲାସଭେଗାସରେ ଏକ ସଙ୍ଗୀତ ଉତ୍ସବ ଚାଲୁଥିବା ସମୟରେ ଜଣେ ଆତଙ୍କବାଦୀ ଆଖିବୁଜା ଗୁଳିଚାଳନା କରିଥିଲେ ଏଥିରେ ୫୮ ଜଣ ନିରୀହଙ୍କ ପ୍ରାଣ ଚାଲିଯାଇଥିଲା । ତେବେ ବାରମ୍ବାର ଆମେରିକା ଭଳି ସୁରକ୍ଷିତ ସଂମୃଦ୍ଧିଶାଳୀ ଦେଶରେ ଆତଙ୍କବାଦୀମାନେ ହମଲା ଜାରି ରଖିବା ଘଟଣା ଚିନ୍ତା ବଢାଇଛି । ଆମେରିକାରୁ ଏକାଧିକ ଥର ଆତଙ୍କବାଦୀ ଆକ୍ରମଣର ଖବର ଆସିବା ଏବେ ଆମେରିକାର ସୁରକ୍ଷା ବ୍ୟବସ୍ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।