କେନ୍ଦ୍ରାପଡା (ଏଟିଆର ବ୍ୟୁରୋ) ; ପୁଅକୁ ସୁରକ୍ଷିତ ଭାବରେ ଫେରାଇ ଆଣିବା ପାଇଁ ପ୍ରଶାସନ ଏବଂ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଗୁହାରୀ କରିଛନ୍ତି ନିରିହ ବାପ ମା । ପୁଅର ଜୀବନ ପ୍ରତି ବିପଦ ଥିବା ପ୍ରଶାସନ ଆଗରେ ମଧ୍ୟ ଜଣାଇଛନ୍ତି । ତେବେ ଏଭଳି ଏକ ହୃଦୟ ସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲାରେ । ସୂଚନା ମୁତାବକ ଗତ ସେପ୍ଟେମ୍ବର ୨ ତାରିଖରେ କୋଲକାତାର ଏକ ଏଜେନ୍ସି ମାଧ୍ୟମରେ ଚାକିରୀ ପାଇଁ ମ୍ୟାଲେସିଆ ଯାଇଥିଲେ ଓଡିଆ ପୁଅ । ବିଦେଶରୁ ବହୁତ ଟଙ୍କା ଆଣିବ ଏବଂ ପରିବାରର ଦୁଃଖ ଦୂର ହେବ ଏଭଳି ଆଶା କରି ମ୍ୟାଲେସିଆ ଯାଇଥିଲେ । ଦୁଃଖ ଦୂର କରିବା ପାଇଁ ବାପା ମାଙ୍କ ମନରେ ଦୁଃଖ ଭରି ଦେଇଛି ପୁଅ । ଯିବା ପରେ ନିଖୋଜ ହୋଇଯାଇଛି । ନିଖୋଜ ଯୁବକ ଜଣଙ୍କ ହେଲେ କେନ୍ଦ୍ରାପଡା ଜିଲ୍ଲା ବାବୁରାମ ପାଟନା ଗାଁର କୁଳମଣୀ ସାହୁଙ୍କ ପୁଅ କ୍ଷେତ୍ରବାସୀ ସାହୁ ।
ମ୍ୟାଲେସିଆ ଯିବା ପରେ ପ୍ରତ୍ୟେକ ଦିନ ଫୋନରେ ବାପା ମାଙ୍କ ସହ କଥା ହେଉଥିଲା ପୁଅ । ଶେଷଥର ପାଇଁ ପୁଅ ସହ ୯ ତାରିଖରେ କଥା ହୋଇଥିଲେ ପରିବାର ଲୋକ । କୈାଣସି କାମରେ ବ୍ୟସ୍ତ ଥିବା କାରଣରୁ ବୋଧେ ପୁଅର ଫୋନ ଆସୁ ନଥିବା ପରିବାର ଲୋକ ଭାବୁଥିଲେ । ମାତ୍ର ସବୁ ଦିନ ପୁଅ ପାଖକୁ ଫୋନ କରିଥିଲେ ମଧ୍ୟ ସଂଯୋଗ ହୋଇପାରୁନଥିଲା । ଯାହାକୁ ନେଇ ଚିନ୍ତାରେ ଥିଲେ ପରିବାର । ମାତ୍ର ଗତ ୨୯ ତାରିଖରେ ଜଣେ ଅଜଣା ବ୍ୟକ୍ତିଙ୍କ ଫୋନ ଆସିବା ପରେ ଭୟ କରିବସିଛନ୍ତି ବାପା ମା । କାରଣ ଅଜଣା ବ୍ୟକ୍ତି ଜଣଙ୍କ କ୍ଷେତ୍ରବାସୀଙ୍କ ଜୀବନକୁ ବିପଦ ଅଛି , ତାକୁ ଶିଘ୍ର ଉଦ୍ଦାର କରିବା ପାଇଁ କହିଥିଲେ । ଏହା ପରେ ପରିବାର ଲୋକ ବିଚଳିତ ହୋଇପଡିଥିଲେ । ଏହା ପରେ ପ୍ରଶାସନ ଏବଂ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୁହାରୀ କରିଛନ୍ତି କି କିପରି ପୁଅ ସୁରକ୍ଷିତ ହୋଇ ଘରକୁ ଫେରିବ । ତେବେ ଏ ସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରମ କମିଶନଙ୍କୁ ଅବଗତ କରାଇବା ସହ କ୍ଷେତ୍ରବାସୀଙ୍କ ଉଦ୍ଦାର ପାଇଁ ଉଦ୍ୟମ କରାଯାଉଥିବା କହିଛନ୍ତି ।