ମାଲକାନଗିରି (ଏଟିଆର ବ୍ୟୁରୋ) ; ଯବାନଙ୍କ ନାମରେ ଏତଲା ଦେବାକୁ ଯାଇଥିଲେ ମହିଳା । ସ୍ୱାମୀ ଏବଂ ଦାଦା ଶ୍ୱଶୁରଙ୍କୁ ଯବାନ ଗୁଳି କରିଥିବା ଅଭିଯୋଗ ଆଣିଛନ୍ତି ମହିଳା । କିନ୍ତୁ ମହିଳାଙ୍କ ଅଭିଯୋଗକୁ କେହି ଶୁଣିନାହାଁନ୍ତି । ଅଭିଯୋଗ କରିଥିବା ମହିଳା ଜଣଙ୍କ ହେଲେ ଭାଗ୍ୟବତି । ସୂଚନା ମୁତାବକ ଗତ ୫ ତାରିଖରେ ମାଲକାନଗିରିରେ ୫ ଜଣ ନକ୍ସଲଙ୍କୁ ମାରିଥିଲେ ଏସଓଜି ଯବାନ । ଯାହାକୁ ନେଇ ସମସ୍ତେ ପ୍ରଂଶସା କରିଥିଲେ । ମୁଖ୍ୟତଃ ପୋଲିସ ଡିଜି ଏମାନଙ୍କ ସଫଳତା ପାଇଁ ପ୍ରଂଶସାରେ ପୋତି ପକେଇଥିଲେ । ମାତ୍ର ଏହା ଏକ ସଫଳତା ନୁହେଁ ବିଫଳତା ବୋଲି ଅଭିଯୋଗ କରିଛନ୍ତି ଭାଗ୍ୟବତୀ ନାମକ ଜଣେ ମହିଳା । ଯବାନଙ୍କ ଗୁଳିରେ ମରିଥିବା ୫ ଜଣଙ୍କ ମଧ୍ୟରୁ ୨ ଜଣ ସାଧାରଣ ଲୋକ ଥିଲେ । ମୃତକ ଦୁହେଁ ହେଲେ ଭାଗ୍ୟବତିଙ୍କ ସ୍ୱାମୀ ପଦ୍ମନାଭ ହନ୍ତାଳ ଏବଂ ଦାଦା ଶ୍ୱଶୁର ସୁନ୍ଦରା ହନ୍ତାଳ । ଯାହା ଜାଣିବା ପରେ ଶବ ପାଇଁ ୬ ତାରିଖରେ ପରିବାର ଲୋକ ଏସପି ଅଫିସରେ ପହଁଞ୍ଚି ଥିଲେ । ମାତ୍ର ଶବ ହସ୍ତାନ୍ତର ନକରି ସେମାନଙ୍କୁ ନକ୍ସଲ ପରିଚୟ ଦେଇ ମାଲକାନଗିରି ପଳେଇ ଆସିଥିଲେ ଯବାନ ।
ଶବ ନ ମିଳିବା ପରେ ଭାଗ୍ୟବତି ଚିତ୍ରକୋଣ୍ଡା ଥାନାରେ ଅଭିଯୋଗ କରିବା ପାଇଁ ଯାଇଥିଲେ । ମାତ୍ର ସେଠାରେ ଥାନା ବାବୁ ନାହାଁନ୍ତି କହି ଅଭିଯୋଗ ନ ରଖି ଫେରେଇ ଦେଇଥିବା କହିଛନ୍ତି ଭାଗ୍ୟବତି । ମହିଳାଙ୍କ ସୂଚନା ମୁତାବକ ସିନ୍ଦୁରପାଲି ଗାଁ ପାଖରେ ନକ୍ସଲମାନେ ଶିବିର କରି ରହିଥିଲେ । ଏଣୁ ଏମାନେ ଗାଁ ଲୋକଙ୍କୁ ପାଣି ଆଣିବା ପାଇଁ କହିଥିଲେ । ପାଣି ଆଣିବା ପାଇଁ ଗାଁରୁ ୭ ଜଣ ଯାଇଥିଲେ । ଏହି ସମୟରେ କ୍ୟାମ୍ପ ଉପରେ ଯବାନଙ୍କ ଗୁଳି ଚାଳନା ହୋଇଥିଲା । ୫ ଜଣ ଦୈାଡି ପଳେଇଥିବା ବେଳେ ୨ ଜଣ ଯବାନଙ୍କ ଗୁଳିରେ ନିହତ ହୋଇଥିଲେ । ପରେ ପରିବାର ଲୋକ ଜାଣିବା ପରେ ମୃତ ଦେହ ଆଣିବା ପାଇଁ ଯାଇଥିବା ବେଳେ ସେମାନଙ୍କୁ ଶବ ମିଳିପାରି ନାହିଁ । ଏଣୁ ନ୍ୟାୟ ପାଇବା ପାଇଁ ଥାନାକୁ ଯାଇଥିଲେ ମଧ୍ୟ ସେଠାରୁ ହତାସ ହୋଇଫେରିବାକୁ ପଡିଛି ଭାଗ୍ୟବତିଙ୍କୁ ।