କଲମ୍ବୋ (ଏଟିଆର ବ୍ୟୁରୋ ) ; ଶ୍ରୀଲଙ୍କାରେ ଲାଗିରହିଛି ରାଜନୀତିକ ଅସ୍ଥିରତା । ସରକାର ଭାଙ୍ଗିଦେଲେ ରାଷ୍ଟ୍ରପତି ମୈଥ୍ରୀପାଲ ସିରସେନା । ଶ୍ରୀଲଙ୍କାରେ ଧାର୍ଯ୍ୟ ସମୟଠାରୁ ଦୁଇ ବର୍ଷ ପୂର୍ବରୁ ଆଉଥରେ ସାଧାରଣ ନିର୍ବାଚନ ହେବ ବୋଲି ଜଣାପଡିଛି । ଏହି ନିର୍ବାଚନ ଆସନ୍ତାବର୍ଷ ଜାନୁଆରୀ ୫ ରେ ଅନୁଷ୍ଠିତ ହେବ ବୋଲି ରାଷ୍ଟ୍ରପତି ଘୋଷଣା କରିଛନ୍ତି । ତେବେ ରାଷ୍ଟ୍ରପତିଙ୍କ ଏପରି ନିଷ୍ପତିକୁ ନେଇ ବିଭିନ୍ନ ମହଲରୁ ନିନ୍ଦା କରାଯିବା ସହ ବିରୋଧ ପ୍ରଦର୍ଶନ କରାଯାଇଛି ।
ସୂଚନାଯୋଗ୍ୟ , ଶ୍ରୀଲଙ୍କାର ରାଷ୍ଟ୍ରପତି ଶ୍ରୀ ସିରସେନା ଅପ୍ରତ୍ୟାଶିତ ଭାବେ ପ୍ରଧାନମନ୍ତ୍ରୀ ରନୀଲ ବିକ୍ରମସିଂହେଙ୍କୁ ବହିସ୍କାର କରି ନୂଆ ପ୍ରଧାନମନ୍ତ୍ରୀ ଭାବେ ମହିନ୍ଦ୍ରା ରାଜପକ୍ଷେଙ୍କୁ ଦାୟୀତ୍ୱ ଦେଇଥିଲେ । ତେବେ ଏହାକୁ ନେଇ ଦେଶରେ ରାଜନୀତିକ ସଂକଟ ସୃଷ୍ଟି ହୋଇଥିଲା । ବିଭିନ୍ନ ମହଲରୁ ରାଷ୍ଟ୍ରପତି ସିରସେନାଙ୍କ ଏପରି ନିଷ୍ପତିକୁ ନିନ୍ଦା କରାଯିବା ପରେ ରାଷ୍ଟ୍ରପତି ସଂସଦରେ ସଂଖ୍ୟା ଗରିଷ୍ଠତା ପାଇଁ ଭୋଟ ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ହେଲେ ରାଜପକ୍ଷେଙ୍କ ସପକ୍ଷରେ କମ ଭୋଟ ମିଳିବ ବୋଲି ଜାଣିପାରି ରାଷ୍ଟ୍ରପତି ସଂସଦକୁ ଭାଙ୍ଗି ଦେଇଥିଲେ । ସେହିପରି ଆସନ୍ତା ବର୍ଷ ଜାନୁଆରୀ ୧୭ ରେ ନୂଆ ସଂସଦ ବସିବା ପାଇଁ ଜାରୁଆରୀ ୫ତାରିଖରେ ଦେଶବ୍ୟାପୀ ଭୋଟ ଗ୍ରହଣ ହେବ ବୋଲି ସିରସେନା କହିଛନ୍ତି । ସେପଟେ ରାଷ୍ଟ୍ରପତିଙ୍କ ବଦଳୁଥିବା ନିଷ୍ପତିକୁ ନେଇ ଶ୍ରୀଲଙ୍କାରେ ନୂଆ ରାଜନୀତିକ ବିବାଦକୁ ଛିଡା ହୋଇଛି ।