ମୁମ୍ବାଇ (ଏଟିଆର ବ୍ୟୁରୋ ) ; ଆଉ ନାହାନ୍ତି ବିଗ୍ରେଡିୟର କୁଳଦୀପ ସିଂହ ଚାନ୍ଦପୁରୀ । ୧୯୭୧ ମସିହାରେ ଭାରତ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ହିରୋ ସାଜିଥିବା ବ୍ରିଗେଡିୟର କୁଳଦୀପ ସିଂହ ଚାନ୍ଦପୁରୀଙ୍କ ଆଜି ମୋହାଲି ସ୍ଥିତ ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ସେ ଦେଶର ଦ୍ୱିତୀୟ ସର୍ବୋଚ୍ଚ ସୌର୍ଯ୍ୟ ସମ୍ମାନ ମହାବୀର ଚକ୍ରରେ ସମ୍ମାନୀତ ହୋଇଥିଲେ । ୧୯୭୧ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧ ବେଳେ ସେ ଭାରତୀୟ ସେନାର ମେଜର ପଦବୀରେ ଥିଲେ । ସେସମୟରେ ଭାରତର ଲଙ୍ଗେୱାଡା ଓ ରାମଗଡ ଦଖଲ କରିବା ପାଇଁ ପାକିସ୍ତାନ ପକ୍ଷରୁ ଭାରତ ଉପରେ ଜୋରଦାର ଆକ୍ରମଣ କରାଯାଇଥିଲା ।
ତେବେ ମେଜର କୁଳଦୀପଙ୍କୁ ସେତେବେଳେ ୨୨ ବର୍ଷ ହୋଇଥିଲେ ହେଁ ସେ ଏକାକୀ ନିଜ ସୈନ୍ୟଦଳକୁ ନେଇ ସାହସ ଯୁଟାଇ ପାକିସ୍ତାନ ସୈନ୍ୟଙ୍କ ସାମ୍ନା କରିଥିଲେ । ସେ ମାତ୍ର ୧୦୦ ଜଣ ଭାରତୀୟ ସୈନ୍ୟଙ୍କୁ ନେଇ ୧୦୦୦ ଜଣ ପାକିସ୍ତାନୀ ସୈନ୍ୟଙ୍କୁ ଧୁଳି ଚଟାଇଥିଲେ । ସାରା ରାତି ପାକିସ୍ତାନ ସୈନ୍ୟଙ୍କ ମୁକାବିଲା କରି ସକାଳ ପର୍ଯ୍ୟନ୍ତ ଅଟକାଇ ପାରିଥିଲେ କୁଳଦୀପ । ସକାଳ ହେବା କ୍ଷଣି ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନର ଟ୍ୟାଙ୍କ ଗୁଡିକୁ ଧ୍ୱଂସ କରାଯାଇଥିଲା । ତେବେ କୁଳଦୀପ ଙ୍କ ସାହସ ଓ ପରାକ୍ରମ ପାଇଁ ତାଙ୍କୁ ସମ୍ମାନୀତ କରାଯାଇଥିଲା ।
ସୂଚନା ଯୋଗ୍ୟ , ନିର୍ଦ୍ଦେଶକ ଜେପି ଦତ୍ତଙ୍କ ଫିଲ୍ମ ବର୍ଡର ୧୯୭୧ ମସିହାର ଭାରତ – ପାକ୍ ଯୁଦ୍ଧ ଉପରେ ଅଧାରିତ । ଏହି ଫିଲ୍ମରେ ଅଭିନେତା ସନ୍ନି ଦେଓଲ ବ୍ରିଗେଡିୟର କୁଳଦୀପ ସିଂହଙ୍କ ଭୁମିକାରେ ଅଭିନୟ କରିଥିଲେ । ସତ୍ୟ ଘଟଣା ଉପରେ ଅଧାରିତ ଏହି ଫିଲ୍ମଟି ଏବେ ଯାଏଁ ବି ସୁପର ହିଟ ହୋଇରହିଛି ।