ଢ଼େଙ୍କାନାଳ (ଏଟିଆର ବ୍ୟୁରୋ) ; ମୃତ୍ୟୁ କେତେବେଳେ ଆସେ ତାହା କାହାକୁ ବି ଜଣା ନଥାଏ । କଥାରେ ଅଛି ଯମକୁ ନିନ୍ଦା ନାହିଁ । ସବୁ ସେଇ ଭାଗ୍ୟର ଖେଳ । ଆୟୂଷ ସରିଗଲେ ସମସ୍ତେ ସଂସାର ଛାଡି ଚାଲିଯାଆନ୍ତି । କାରଣ ପୁରାଣରେ ବର୍ଣ୍ଣିତ ଅଛି ମତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହେଲେ ବି ମରଇ । ତେବେ ମରଣ ଆସିବା ପୂର୍ବରୁ ନିଜର ମୃତ୍ୟୁକୁ କେତେକ ଲୋକ ଆମନ୍ତ୍ରଣ କରିଥାନ୍ତି । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢ଼େଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ । ଡାକ୍ତରଖାନାର ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଚିକିତ୍ସିତ ହେବାକୁ ଆସିଥିବା ଜଣେ ରୋଗୀ । ମୃତକ ଜଣକ ହେଲେ ସଞ୍ଜୟ ଭୋଳ ।
ମିଳିଥିବା ସୂଚନା ମୁତାବକ ସଞ୍ଜୟ ଗ୍ୟାଷ୍ଟ୍ରିକ ଜନିତ ରୋଗ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୁରୁଷ ମେଡିସିନ ୱାଡରେ ଭତ୍ତି ହୋଇଥିଲେ । ଡାକ୍ତରଙ୍କ କହିବା ଅନୁସାରେ ରୋଗୀର ସ୍ୱାସ୍ଥ୍ୟ ଅବସ୍ଥା ସୁଧାର ଆସିଥିଲା । ତେବେ କେଉଁ କାରଣରୁ ଆତ୍ମହତ୍ୟା କଲେ ତାହା ଅଷ୍ପଷ୍ଟ ଅଛି । ଗତକାଲି ରାତି ୩ଟା ବେଳେ ଶୋଇଥିବା ରୁମରେ ଥିବା ଝରକାରୁ ତଳକୁ ଡେଇଁ ପଡିଥିଲେ ସଞ୍ଜୟ । ତେବେ ସମ୍ପର୍କୀୟମାନେ ଦେଖି ବଞ୍ଚାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ନିଜେ ପଡିଯିବା ଭୟରେ ସାହସ କରିନଥିଲେ । ଶେଷରେ ୪ ମହଲାରୁ ତଳକୁ ଖସି ମୃତ୍ୟୁ ବରଣ କରିଥିଲେ । ଏହି ଖବର ସମ୍ପର୍କରେ ପୋଲିସ ଜାଣିବା ପରେ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଦେଇଛି । ତେବେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡିନାହିଁ ।