କଟକ,(ଏଟିଆର ବ୍ୟୁରୋ): ପୁଣି ଆଉ ଏକ ଲଜ୍ଜାର ଚିତ୍ର ସାମ୍ନାକୁ ଆସିଛି କଟକରେ । ଜଣେ ମହିଳାଙ୍କୁ ଏଟିଏମ ଭିତରେ ଦୁଷ୍କର୍ମ କରାଯାଇଥିବା ଭଳି ସଂଗିନ ଅଭିଯୋଗ ହୋଇଛି । ଏନେଇ ଅଭିଯୋଗ ହେବା ପରେ ପୁଲିସ ଏଟିଏମ କାଉଣ୍ଟରରେ ଡ୍ୟୁଟି କରୁଥିବା ସିକ୍ୟୁରିଟି ଗାର୍ଡ ସମେତ ତାଙ୍କର ଜଣେ ସହଯୋଗୀକୁ ଅଟକ ରଖିଛି । ସେପଟେ ମହିଳାଙ୍କ ଡାକ୍ତରୀ ମଇନା କରାଯିବା ସହ ବୟାନ ରେକର୍ଡ କରିଛି ପୁଲିସ ।
ମିଳିଥିବା ରିପୋର୍ଟ ଅନୁସାରେ, କଲେଜ ଛକ ପିଲିଗ୍ରାମ ରୋଡରେ ରହିଛି ଏହି ଏଟିଏମ କାଉଣ୍ଟର । ଯେଉଁଠି ମହିଳାଙ୍କୁ ଏକାକି ପାଇ ସବୁ ସିମା ଟପିଯାଇଛନ୍ତି ସିକ୍ୟୁରିଟି ଗାର୍ଡ । ପୁଲିସ ରିପୋର୍ଟ ଅନୁସାରେ, ଶନିବାର ରାତିରେ ଏହି ଘଟଣା ଘଟିଛି । ମହିଳା ଜଣଙ୍କ ସ୍ଥାନୀୟ ଅଞ୍ଚଳରେ ବୁଲୁଥିବା ବେଳେ ସିକ୍ୟୁରିଟି ଗାର୍ଡ ଓ ତାଙ୍କ ସହଯୋଗୀ ମହିଳାଙ୍କୁ ଜବରଦସ୍ତ ଉଠାଇ ଆଣିଥିଲେ । ସେମାନେ ଏଟିଏମ କାଉଣ୍ଟର ଭିତରେ ହିଁ ଦୁଷ୍କର୍ମ କରିଥିଲେ ।
ମାଲଗୋଦାମ ଥାନାରେ ଏନେଇ ମହିଳା ଜଣଙ୍କ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିବା ସହ ଏଟିଏମ କାଉଣ୍ଟରରେ ଲାଗିଥିବା ସିସିଟିଭି ଫୁଟେଜକୁ ଜବତ କରି ଘଟଣାର ଖୋଳତାଡ ଆରମ୍ଭ କରିଛି ।