ବ୍ରିସବେନ (ଏଟିଆର ବ୍ୟୁରୋ) ; ପ୍ରଥମ ମ୍ୟାଚରୁ ଭାର ପଡିଛି ଘରୋଇ ଦଳ । ଲଢ଼ୁଆ ବ୍ୟାଟିଂ ସତ୍ତେ୍ୱ କଙ୍ଗାରୁ ଦଳଠାରୁ ୪ ରନରେ ପରାସ୍ତ ହେଲା ଭ୍ରମଣକାରୀ ଭାରତ । ବିଜୟ ଲକ୍ଷ ପାଇଁ ନିର୍ଦ୍ଧାରିତ ୧୭ ଓଭରରେ ୧୭୪ ରନର ବିଜୟ ଲକ୍ଷ ଥିବା ବେଳେ ୭ ୱିକେଟ ହରାଇ ଭାରତ ମାତ୍ର ୧୬୯ ସଂଗ୍ରହ କରିବାରେ ସଫଳ ହୋଇଥିଲା । ଭାରତ ପକ୍ଷରୁ ଶିଖର ଧାୱନ ସର୍ବାଧିକ ୭୬ ରନ କରିଥିବା ବେଳେ ଦୀନେଶ କାର୍ତ୍ତିକ ୩୦ ରନ ଲଢ଼ୁଆ ଇନିଂସ ଖେଳିଥିଲେ ମଧ୍ୟ ଶେଷରେ ଦଳ ପରାଜୟ ଶିକାର କରିଛି । ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ଟିମ ୧୭ ଓଭରରେ ମାତ୍ର ୧୫୮ ରନ କରିଥିବା ବେଳେ ବର୍ଷା ବାଧକ ସାଜିଥିଲା । ଡିଏଲ ମେଥର୍ଡ ହିସାବରେ ଭାରତକୁ ୧୭୪ ରନର ଲକ୍ଷ ଦିଆଯାଇଥିବା ବେଳେ ଏହି ସ୍କୋରକୁ ପିଛା କରିବାକୁ ଯାଇ ହାରି ଯାଇଥିଲା ।
ବିଜୟ ଅଭିଯାନରୁ ସିରିଜ ଆରମ୍ଭ କରିଛି ଘରୋଇ ଦଳ । ଶକ୍ତିଶାଳି ବୋଲିଂ ଆଗରେ ଫିକା ପଡିଲା ବିରାଟ ବାହିନୀ । ଅଷ୍ଟ୍ରେଲିଆ ଦଳ ପକ୍ଷରୁ ବୋଲିଂ କରିଥିବା ସମସ୍ତ ବୋଲର ୱିକେଟ ଭାଗ ବାଣ୍ଟି ନେଇଛନ୍ତି । ୩ଟି ଟି-୨୦ ବିଶିଷ୍ଟ ସିରିଜରେ ପ୍ରଥମ ମ୍ୟାଚର ପରାଜୟ ପରେ ଭାରତ ପାଇଁ ଆଗାମି ୨ଟି ଯାକ ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ରହିବ । ତେବେ ଘରୋଇ ଦଳକୁ ସିରିଜ ଅକ୍ତିଆର କରିବା ପାଇଁ ୨ ମ୍ୟାଚରୁ ମାତ୍ର ଗୋଟିଏ ମ୍ୟାଚ ଦରକାର । ସେପଟେ ୧-୦ରେ ଆଗୁଆ ଅଛି ଘରୋଇ ଦଳ । ଭାରତୀୟ ଦଳ ପକ୍ଷରୁ କୁଲଦୀପ ଯାଦବ ଏବଂ ଖଲିଲ ଅହମ୍ମଦ ସର୍ବାଧିକ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।