ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ଛାଡଖାଇ ପାଇଁ ଜମିଛି ଆମିଷ ବଜାର । କାର୍ତ୍ତିକ ମାସ ଚାଲିଥିବାରୁ ମାସ ନିରାମିଷ ଖାଉଥିଲେ ଲୋକ । ଧର୍ମମାସର ଶେଷ ହେବା ପରେ ଆଜି ହେଉଛି ଛାଡଖାଇ । କଥାରେ ଅଛି ଆଜି ଆମିଷ ଭୋଜନ କଲେ ମଧ୍ୟ ପାପ ଲାଗିନଥାଏ ଏଣୁ ଆମିଷ ବଜାରରେ ଲାଗିଛି ଲୋକଙ୍କ ଭିଡ । ତେବେ ଶନିବାରରେ ପଡିଥିବାରୁ କେତେକ ଲୋକଙ୍କ ଉତ୍ସାହ ସାମାନ୍ୟ କମିଯାଇଛି । କିନ୍ତୁ ଆମିଷ ପ୍ରେମୀ ବାର ଅବାର ମାନୁନାହାଁନ୍ତି । ଛୋଟ ଭୋଜି ହେଉ ବରଂ ଆୟୋଜନ ହୋଇସାରିଛି । ଏପରିକି ଶୁକ୍ରବାର ସଂଧ୍ୟାରୁ ଚିଠା ତିଆରି ସରିଛି । କେଉଁଠି ଭଲ ମଟନ୍ ମିଳିବ, ମାଛ ଓ ଚିକେନର ଭେରାଇଟି କେଉଁଠି ଅଧିକ ତାର ସନ୍ଧାନ ସରିଛି । ଆଉ ଗ୍ରାହକଙ୍କ ଉତ୍ସାହକୁ ଦେଖି ଆମିଷ ବଜାରରେ ମଧ୍ୟ ନିଆଁ ଲାଗିଛି ।ରାଜଧାନୀର ବହୁ ପିକନିକସ୍ଥଳି ତଥା ଖଣ୍ଡଗିରି,ଜୟଦେବ ବାଟିକା ଏବଂ ଶିଖରଚଣ୍ଡି ଆଦି ଜାଗାରେ ଲୋକଙ୍କ ଭିଡ ଜମିଛି ।
ତେବେ ଶନିବାର ଅପେକ୍ଷା ରବିବାର ଅର୍ଥାତ ଆସନ୍ତାକାଲି ଆମିଷ ବଜାରରେ ଭିଡ ଜମିବା ଅନୁମାନ କରାଯାଉଛି । ଛାଡଖାଇ ପାଳିବାକୁ ଗ୍ରାହକଙ୍କ ଭିତରେ ମଟନ୍ ଖାଇବାକୁ ବେଶୀ ଆଗ୍ରହ ରହିଥାଏ । ସେଥିପାଥଁ ବିନା ପାଣିର ଭଲ ଖାସି ମଟନ୍ ପାଇଁ ବେପାରୀଙ୍କୁ ଆଗୁଆ ଅର୍ଡର ଦିଆଯାଇଛି । ରାଜଧାନୀ ଭୁବନେଶ୍ୱରରେ ୩ଶହରୁ ଅଧିକ ମଟନ୍ ଦୋକାନ ଅଛି । ସମସ୍ତେ ରବିବାର ପାଇଁ ଅପେକ୍ଷା କରିଥିବାରୁ ମଟନ୍ ମହଙ୍ଗା ହେବା ଅନୁମାନ କରାଯାଉଛି । ଆଜି ରାଜଧାନୀ ବଜାରରେ ମଟନ୍ କିଲୋ ପିଛା ଦର ୫ଶହ ୫୦ଟଙ୍କା ରହିଛି । କାଲି ଏହା ଆହୁରୀ ବଢିବା ଅନୁମାନ କରାଯାଉଛି ।
ଭୁବନେଶ୍ୱରରେ ଚିକେନ ଦର ୧୮୦ ଟଙ୍କା , ରୋହି ମାଛ ୧୪୦, ଚିଙ୍ଗୁଡ଼ି କିଲୋ ୪୨୦, ଇଲିସି ମାଛ କିଲୋ ୬୦୦ ଟଙ୍କା, କଙ୍କଡ଼ା କିଲୋ ୧୮୦,ଭାକୁଡ଼ ମାଛ ୧୬୦ ଟଙ୍କାରେ ବିକ୍ରି ହେଉଛି ।
ରିପୋର୍ଟ ; ଗୁଣନିଧି ବେହେରା