ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଭୁବନେଶ୍ୱରରେ ଶାହାରୁଖଙ୍କୁ କରାଯିବ ବିରୋଧ । ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ ଓଡିଶାରେ ପ୍ରବେଶ କଲେ ତାଙ୍କୁ ବିରୋଧ କରାଯିବ ବୋଲି କହିଛି କଳିଙ୍ଗ ସେନା । ଯଦି ଶାହାରୁଖ ଓଡିଶାରେ ପାଦ ରଖନ୍ତି ତେବେ ତାଙ୍କ ସହ କିଛି ଏଭଳି ବ୍ୟବହାର କରାଯିବ ଯାହା ସେ କେବେ ଭାବିନଥିବେ ବୋଲି କଳିଙ୍ଗ ସେନା କହିଛି । ଶାହାରୁଖ ଓଡିଶା ଆସିଲେ ତାଙ୍କ ମୁହଁରେ କଳା ବୋଳାଯିବା ସହ କଳା ପତାକା ଦେଖାଇବାକୁ କଳିଙ୍ଗ ସେନା ଧମକ ଦେଇଛି ।
ତେବେ ଶାହାରୁଖଙ୍କୁ କଳିଙ୍ଗ ସେନା ଏବେ ନୁହେଁ ବରଂ ପୂର୍ବରୁ ମଧ୍ୟ ବିରୋଧ କରିସାରିଛି । ଗତ ନଭେମ୍ବର ୧୧ ତାରିଖରେ କଳିଙ୍ଗ ସେନା ଏକ ର୍ୟାଲି ବାହାରକରି ଶାହାରୁଖଙ୍କ ଓଡିଶା ଆମନ୍ତ୍ରଣକୁ ବିରୋଧ କରିଥିଲା । ଏମିତିକି ଶାହାରୁଖଙ୍କ କୁଶ ପୁତ୍ତଳିକା ଦାହ କରିଥିଲା କଳିଙ୍ଗ ସେନା । କିନ୍ତୁ ଏବେ ଶାହାରୁଖ ଓଡିଶା ଆସିଲେ ତାଙ୍କ ମୁହଁରେ କାଳି ବୋଳିବ ବୋଲି କଳିଙ୍ଗ ସେନା କହିଛି ।
ସୂଚନାଯୋଗ୍ୟ , ୨୦୦୧ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ଅଶୋକା’ ରେ ଅଭିନେତା ଶାହାରୁଖ ଖାନ ମୁଖ୍ୟ ଚରିତ୍ର ହିସାବରେ ଅଶୋକ ଭୁମିକାରେ ଅଭିନୟ କରିଥିଲେ । ତେବେ ଏହି ଫିଲ୍ମଟିରେ ଦେଖାଯାଇଥିବା କିଛି ଦୃଶ୍ୟ ଓଡିଶାବାସୀଙ୍କ ଭାବନାକୁ ଅପମାନିତ କଲାଭଳି ରହିଥିଲା । ଖାଲି ସେତିକି ନୁହେଁ ଐତିହାସିକ କଳିଙ୍ଗ ଯୁଦ୍ଧକୁ ମଧ୍ୟ ଏହି ଫିଲ୍ମରେ ଭୁଲ ଭାବରେ ଚିତ୍ରଣ କରାଯାଇଥିଲା । ଓଡିଶାର ସଂସ୍କୃତି ଓ ପରମ୍ପରାକୁ ଅପମାନିତ କରାଯାଇଥିଲା । ତେବେ ସେହି ସମୟରେ ଏହି ଫିଲ୍ମକୁ ବିରୋଧ କରିଥିଲେ ଅନେକ ସଂଗଠନ । ଅନ୍ୟପଟେ ଶାହାରୁଖ ଖାନ ମଧ୍ୟ ଏଥିପାଇଁ କ୍ଷମା ମାଗିନଥିଲେ । ଯାହାକୁ ନେଇ ଓଡିଶାରେ ଶାହାରୁଖ ଖାନଙ୍କ ପ୍ରବେଶକୁ ବିରୋଧ କରୁଛି କଳିଙ୍ଗ ସେନା ।
ପ୍ରକାଶ ଥାଉକି . ଆସନ୍ତା ୨୮ ତାରିଖରେ ଭୁବନେଶ୍ୱରରେ ବିଶ୍ୱକପ ହକି ଟୁର୍ଣ୍ଣମେଣ୍ଟ ଆୟୋଜନ କରାଯାଉଥିବା ବେଳେ ଏହାର ଉଦଘାଟନୀ ଉତ୍ସବ ପାଇଁ ଶାହାରୁଖ ଖାନଙ୍କୁ ନିମନ୍ତ୍ରଣ କରାଯାଇଛି । ଶାହାରୁଖ ଙ୍କ ସମେତ ପ୍ରସିଦ୍ଧ ଗାୟକ ଏ ଆର ରହେମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମ ପାଇଁ ଡକାଯାଇଛି । ତେବେ କଳିଙ୍ଗ ସେନା ଶାହାରୁଖଙ୍କୁ ବିରୋଧ କରି ବାରମ୍ବାର ଏପରି ଧମକ ଦେଉଛି ।