ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତା କାଲି ପୁରୁଷ ହକି ବିଶ୍ୱ କପ୍ ର ଉଦଘାଟନୀ ଉତ୍ସବ । ଦର୍ଶକଙ୍କ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସେବା ଆରମ୍ଭ ହୋଇଥିବା ବେଳେ ‘କ୍ରୁଟ୍’ ପକ୍ଷରୁ ୨୭ରୁ ଆରମ୍ଭ ହେଉଛି ‘ମୋ ବସ୍ ସଟଲ୍’ ସେବା । ପ୍ରତ୍ୟେକ ୨ ମିନିଟ୍ରେ ଲୋକମାନଙ୍କୁ ଏହି ସେବା ଯୋଗାଇ ଦିଆଯିବ ବୋଲି କ୍ରୁଟ୍ ପକ୍ଷରୁ ସୂଚନା ମିଳିଛି ।
ଏହି ସେବା କେବଳ ହକି ବିଶ୍ୱକପ୍ ପାଇଁ ଜାରି କରାଯାଇଛି । ସବୁଠୁ ମୁଖ୍ୟ କଥା ହେଲା ଖେଳ ଦେଖିବାକୁ ଆସିଥିବା ଦର୍ଶକ ସେମାନଙ୍କ କାର୍ ଏବଂ ବାଇକ୍ କୁ ପ୍ରଥମେ ଜନତା ମଇଦାନରେ ପାର୍କିଂ କରିବେ । ପାର୍କିଂ ସୁବିଧା ସମ୍ପୂର୍ଣ୍ଣ ମାଗଣା ରହିଛି । ସେଠାରୁ ଦର୍ଶକ ଯେପରି ସୁବିଧାରେ କଳିଙ୍ଗ ଷ୍ଟାଡିୟମକୁ ଯାଇ ଖେଳ ଦେଖି ପାରିବେ ସେଥିପାଇଁ ପ୍ରତି ଦୁଇ ମିନିଟ୍ ରେ ଜନତା ମଇଦାନରୁ ବାହାରିବ ‘ମୋ ବସ୍ ସଟଲ୍’ । ଏହାସହିତ ଏହି ବସ୍ ଯୋଗେ ଦର୍ଶକ କଳିଙ୍ଗ ଷ୍ଟାଡିୟମରୁ ବାହାରି ପ୍ରଦର୍ଶନୀ ପଡିଆରେ ହେବାକୁ ଥିବା ଫେଷ୍ଟ୍ ପ୍ରୋଗ୍ରାମରେ ଯୋଗ ଦେଇ ପାରିବେ । ସେଥିପାଇଁ ଏସି ବସ୍ ର ଟିକେଟ୍ ଦର ରହିଛି ୩୦ ଟଙ୍କା ଏବଂ ନନ୍ ଏସି ହେଉଛି ୧୫ ଟଙ୍କା ।
ଅନ୍ୟପଟେ କ୍ରୁଟ୍ ପକ୍ଷରୁ ନଭେମ୍ବର ୬ରେ ଶହେଟି ବସ୍ ଏବଂ ନଭେମ୍ବର ୧୫ରେ ଆଉ ଶହେଟି ବସ୍ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ରୁଟ୍ ଦେଇ ଚାଲିଛି ।