ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲକୁ ପୁଣି ଟାର୍ଗେଟ । କେଜ୍ରିୱାଲଙ୍କ ବାସଭବନରୁ ଗୋଟିଏ ଅଫୁଟା ଗୁଳି ସହ ଜଣେ ମୌଲବୀଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ୱାକଫ ବୋର୍ଡର ଦରମା ବୃଦ୍ଧି ପାଇଁ ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାପାଇଁ ତାଙ୍କୁ ବାସଭବନକୁ ଯାଇଥିଲେ କିଛି ମୌଲବୀ । ଏହି ସମୟରେ ଇମ୍ରାନ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଗୋଟିଏ ଅଫୁଟା ଗୁଳି ଜବତ କରିଛି ପୋଲିସ । ଇମ୍ରାନଙ୍କୁ ପୋଲିସ ଗିରଫ କରିବା ପରେ ତାଙ୍କ ବିରୋଧରେ ଆର୍ମ ଆକ୍ଟ ରେ ମାମଲା ରୁଜୁ ହୋଇଛି ।
ସେପଟେ ଅଫୁଟା ଗୁଳି ସମ୍ବନ୍ଧରେ ଇମ୍ରାନଙ୍କୁ ପଚରାଯିବା ପରେ ସେ ଏହି ଘଟଣାକୁ ନେଇ ସଫେଇ ଦେଇଛନ୍ତି । ସେହି ଅଫୁଟା ଗୁଳିଟିକୁ ମସଜିଦର ଦାନବାକ୍ସରୁ ପାଇଥିବା ଇମ୍ରାନ କହିଛନ୍ତି । ତେବେ ଏହାକୁ ନିଜ ପର୍ସରେ ରଖି ଦେଇଥିଲେ ହେଁ କେଜ୍ରିୱାଲଙ୍କ ବାସଭବନକୁ ଆସିବା ପୂର୍ବରୁ ସେ ଏହାକୁ ବାହାର କରିବା ପାଇଁ ଭୁଲିଯାଇଥିବା ଇମ୍ରାନ ପୋଲିସକୁ ଜଣାଇଛି । ତେବେ ଏହି ଘଟଣାର ତଦନ୍ତ ଜାରି ରହିଛି । ଘଟଣା ପଛରେ କଣ ଉଦ୍ଦେଶ୍ୟ ଥାଇପାରେ ସେନେଇ ପୋଲିସ ତଦନ୍ତ ଚଳାଇଛି ।
ସେପଟେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରକୁ ଗୋଟିଏ ପରେ ଗୋଟିଏ ଆକ୍ରମ଼ଣକୁ ନେଇ ବଡ ପ୍ରଶ୍ନାବାଚୀ ସୃଷ୍ଟି ହୋଇଛି । ପୂର୍ବରୁ ଜଣେ ବ୍ୟକ୍ତି କେଜ୍ରିୱାଲଙ୍କ ଉପରକୁ ଲଙ୍କାଗୁଣ୍ଡ ମାଡ କରିଥିଲେ । ଏହି ଆକ୍ରମଣରୁ କେଜ୍ରିୱାଲ ଅଳ୍ପକେ ବର୍ତ୍ତିଯାଇଥିଲେ ହେଁ ଏଭଳି ଆକ୍ରମଣରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ସ୍ପଷ୍ଟ ହୋଇଯାଇଥିଲା । ତେବେ ସେହି ଘଟଣାକୁ ଏକ ସପ୍ତାହ ପୂରିନଥିବା ବେଳେ ଏବେ ଆଉ ଏକ ସନ୍ଦେହଜନକ ଘଟଣା କେଜ୍ରିୱାଲଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସେପଟେ ଗତ ୨୨ ତାରିଖ ଦିନ କେଜ୍ରିୱାଲଙ୍କ ଉପରେ ହୋଇଥିବା ଲଙ୍କାଗୁଣ୍ଡ ଆକ୍ରମଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କେଜ୍ରିୱାଲ । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେବାରେ ପ୍ରଧାନମନ୍ତ୍ରୀ ଅସମର୍ଥ ଥିବା ଯୋଗୁ ମୋଦି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି କେଜ୍ରିୱାଲ ଦାବି କରିଥିଲେ । ଅନ୍ୟପଟେ ଏଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ କେଜ୍ରିୱାଲଙ୍କ ସୁରକ୍ଷା ବଢାଇ ଦିଆଯାଇଛି । ଏଣିକି କେଜ୍ରିୱାଲଙ୍କୁ ଭେଟିବାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ କଡା ଚେକିଙ୍ଗ ମଧ୍ୟମରେ ବାସଭବନକୁ ପ୍ରବେଶ କରାଯିବ ବୋଲି ଜଣାପଡିଛି ।