ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କୁନି କୁନି ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହୋଇଛି ନୂତନ ନିୟମ । ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ସ୍କୁଲରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଅଧିକ ପାଠ ପଢା ଚାପରୁ ମୁକ୍ତି ପାଇଁ କେନ୍ଦ୍ରମାନବ ସମ୍ବଳ ମନ୍ତ୍ରାଳୟ ଏହି ନିୟମ ଜାରି କରିଛି ।
ଏଣିକି ସ୍କୁଲରେ ପଢୁଥିବା ପ୍ରଥମ ଏବଂ ଦ୍ୱିତୀୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ହୋମୱାର୍କ କରିବାକୁ ଦେଇପାରିବେ ନାହିଁ । ଏହାସହିତ ଛାତ୍ରଛାତ୍ରୀମାନଙ୍କ ବ୍ୟାଗ୍ ର ଓଜନ କେତେ ରହିବ ସେନେଇ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟରେ ଥିବା ସ୍କୁଲକୁ ଜଣାଇ ଦିଆ ଯାଇଛି ।
ଗାଇଡଲାଇନ୍ ଅନୁଯାୟୀ:
୧ – ପ୍ରଥମ ଏବଂ ଦ୍ୱିତୀୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ କୌଣସି ପ୍ରକାରେ ହୋମୱାର୍କ କରି ଆଣିବାକୁ କୁହାଯିବ ନାହିଁ ।
୨- ଏନସିଆରଟି ବହି ବ୍ୟତୀତ ଅନ୍ୟ କୌଣସି ବହି ପିଲାମାନେ ଆଣିପାରିବେ ନାହିଁ । ଯେପରିକି ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ରହିଛି ଗଣିତ ଏବଂ ମାତୃଭାଷା ବହି । ସେହିପରି ତୃତୀୟ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ମାତୃଭାଷା, ଗଣିତ ଏବଂ ପରିବେଶ ବିଜ୍ଞାନ ।
୩- ଏହାସହିତ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ବ୍ୟାଗ୍ ର ନିର୍ଦ୍ଧାରିତ ଓଜନ ରହିବ ୧.୫ କିଲୋଗ୍ରାମ । ସେହିପରି ତୃତୀୟ ରୁ ପଞ୍ଚମ- ୨.୩ କେ.ଜି, ଷଷ୍ଠ ଓ ସପ୍ତମ- ୪ କେ.ଜି, ଅଷ୍ଟମ ଓ ନବମ- ୪.୫ କେ.ଜି ଏବଂ ଦଶମ ଛାତ୍ରଛାତ୍ରୀ ଙ୍କ ବ୍ୟାଗ୍ ର ଓଜନ ୫ କେଜି ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।