କେନ୍ଦ୍ରାପଡା (ଏଟିଆର ବ୍ୟୁରୋ) ; ପ୍ରେମ ପାଇଁ କିଏ ଜିଉଁଛି ତ ଆଉ କିଏ ମରଣକୁ ଡାକୁଛି । ଆଜି କାଲିର ଯୁବପିଢ଼ିମାନେ ଏହି ପ୍ରେମ ପାଇଁ ବହୁତ ଭୁଲ କରିବସୁଛନ୍ତି । କେଉଁଠି କିଏ ପାଗଳ ହୋଇଯାଉଛି ତ ଆଉ କେଉଁଠି କାହାର ଜୀବନ ଚାଲିଗଲାଣି । ସବୁଠାରୁ ବଡ କଥା ହେଉଛି ଯେଉଁଠି ଏକତରଫା ପ୍ରେମ ହୋଇଥାଏ ସେଠାରେ ବହୁ କ୍ଷତି ହୋଇଥାଏ । କାରଣ ପୁଅ ଏବଂ ଝିଅଙ୍କ ମଧ୍ୟରୁ କେହି ନାଁ କେହି ମରୁଥିବା ନଜିର ରହିଛି । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଳା ନିକିରାଇ ଥାନା ପଳକଣା ଗାଁରେ ।
ଅଭିଯୋଗ ଅନୁଯାୟୀ ସେହି ଗ୍ରାମର ଜଣେ ଯୁବକ ଜଣେ ଯୁବତୀଙ୍କୁ ବହୁ ଦିନ ଧରି ପ୍ରେମ ନିବେଦନ କରିଥିଲେ ମଧ୍ୟ ଯୁବତୀ ଜଣକ ଏହାକୁ ସ୍ୱିକାର କରିନଥିଲେ । କଥା ଏତେ ଆଗକୁ ଚାଲିଯାଇଥିଲା ଯେ ଝିଅର ପରିବାର ପକ୍ଷରୁ ଥାନାରେ ଏତଲା ଦେଇଥିଲେ ମଧ୍ୟ ପୋଲିସ ଏନେଇ କୈାଣସି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିନଥିଲେ । ଯୁବକ ଜଣକ ବାରମ୍ବାର ପ୍ରେମ ନିବେଦନ କରିଥିବାରୁ ଏଥିରେ ଅତିଷ୍ଠ ହୋଇ ପଡିଥିଲେ ଯୁବତୀ । ଶେଷରେ ବାଧ୍ୟ ହୋଇ ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ । ଏନେଇ ପୋଲିସରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଜାରି କରିଛି ।