ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ସବୁ ପ୍ରତିକ୍ଷାର ଅନ୍ତ ଘଟିବ । ବହୁ ଚର୍ଚ୍ଚିତ ବିଶ୍ୱକପ ହକିର ପ୍ରଥମ ମ୍ୟାଚ ଅନୁଷ୍ଠିତ ହେବ । ସନ୍ଧ୍ୟା ୫ଟାରେ ପ୍ରଥମେ କାନାଡା ଏବଂ ବେଲଜିୟମ ମଧ୍ୟରେ ମ୍ୟାଚ ହେବାକୁ ଥିବା ବେେଳେ ଦ୍ୱିତୀୟ ମ୍ୟାଚରେ ୭ଟାରେ ଭାରତ ତାର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭେଟିବାକୁ ଯାଉଛି । ଏଥି ସହିତ ହକି ବିଶ୍ୱକପ ଓଡିଶାରେ ପଦାର୍ପଣ କରି ନୂଆ ଇତିହାସ ରଚିବ । କୈାଣସି ନିଦ୍ଧିଷ୍ଟ ଅଲିମ୍ପିକ ଖେଳରେ ସମ୍ପୂର୍ଣ୍ଣ ବିଶ୍ୱକପ ଓଡିଶାରେ ହେବ ଏହା ପ୍ରଥମ ଘଟଣା । ଏହି ଟୁର୍ଣ୍ଣାମେଣ୍ଟରେ ଓଡିଶାରୁ ଦୁଇଜଣ ଖେଳାଳି ଖେଳୁଥିବା ବେଳେ ଏଥର ଦଳରେ ଯୁବ ଏବଂ ଅଭିଜ୍ଞ ଖେଳାଳି ସାମିଲ ହୋଇଛନ୍ତି । ଏଣୁ ଦୀର୍ଘ ୪୩ ବର୍ଷ ଧରି ବିଶ୍ୱକପ ପଦକ ବିହୀନ ଥିବା ଅଲିମ୍ପିକ କୀତ୍ତିମାନଧାରୀ ଭାରତ ପାଇଁ କଳିଙ୍ଗ ଷ୍ଟାଡିୟମରେ ଟାଇଟଲ ହାସଲ କରିବା ପାଇଁ ସୁଯୋଗ ରହିଛି ।
ପ୍ରଥମ ମ୍ୟାଚ୍ରୁ ଭାରତ ଅପେକ୍ଷାକୃତ ନିମ୍ନ ମାନ୍ୟତାପ୍ରାପ୍ତ ଦକ୍ଷିଣ ଆଫ୍ରିକାକୁ ଭେଟିବାକୁ ଯାଉଥିବାରୁ ମନପ୍ରୀତ୍ ସିଂହଙ୍କ ଦଳ ଆତ୍ମବିଶ୍ବାସରେ ରହିଛି। ଭାରତ ମାନ୍ୟତା ୫ ଏବଂ ଦକ୍ଷିଣ ଆଫ୍ରିକା ମାନ୍ୟତା ୧୫। ଚଳିତ ୨୦୧୮ ମସିହା ଭାରତୀୟ ହକି ପାଇଁ ଭଲ ବିତିଥିବାରୁ ଘରୋଇ ମାଟିରେ ବିଶ୍ବକପ୍ ସ୍ବପ୍ନ ଦେଖିଛନ୍ତି ଭାରତୀୟ ହକି ପ୍ରେମୀ। କେବଳ ଏସୀୟ କ୍ରୀଡ଼ାର ନିରାଶାଜନକ କାଂସ୍ୟକୁ ଛାଡ଼ି ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫି ରୌପ୍ୟ ଏବଂ ଏସୀୟ ଚାମ୍ପିଅନ୍ସ ଟ୍ରଫି ସ୍ବର୍ଣ୍ଣ (ପାକିସ୍ତାନ ସହ ଯୁଗ୍ମ ଭାବେ) ଜିତିଛି ଏ ବର୍ଷ। ପ୍ରଶିକ୍ଷକ ହରେନ୍ଦ୍ର ସିଂହ କିନ୍ତୁ କହିଛନ୍ତି, ଆମେ କେବଳ ଅଭିଜ୍ଞତାକୁ ଛାଡ଼ିଦେଲେ ଅତୀତର ସବୁ ଭଲ ଖରାପକୁ ଛାଡ଼ି ଦେଉଛୁ।