ପାରାଦୀପ (ଏଟିଆର ବ୍ୟୁରୋ ) ; ଗୁଳି ମାଡ କରି ଲୁଟିନେଲେ ୭ ଲକ୍ଷ । ଜଣେ ସିଏମଏସ କର୍ମଚାରୀଙ୍କୁ ଦୁର୍ବୃତ୍ତମାନେ ଗୁଳିମାଡ କରିବା ପରେ ତାଙ୍କ ହାତରୁ ୭ ଲକ୍ଷ ଟଙ୍କା ଭର୍ତି ବ୍ୟାଗ ଲୁଟିନେଇଥିବା ସୂଚନା ମିଳିଛି । ଏଭଳି ଘଟଣା ପାରାଦୀପର ଇଫକୋ ଛକ ନିକଟରେ ଘଟିଛି । ସ୍ଥାନୀୟ ଇଫକୋ ଛକ ନିକଟରେ ସିଏମଏସ କର୍ମଚାରୀ ସଞ୍ଜୟ ଦାସ ୭ ଲକ୍ଷ ଟଙ୍କା ଭର୍ତ୍ତି ଥିବା ଏକ ବ୍ୟାଗ ଧରି ଛିଡା ହୋଇଥିବା ସମୟରେ ୩ ଜଣ ଦୁର୍ବୃତ୍ତ ତାଙ୍କ ହାତରୁ ବ୍ୟାଗ ଛଡାଇବାକୁ ଉଦ୍ୟମ କରିଥିଲେ । ଏହାସହ ଧସ୍ତାଧସ୍ତି ମଧ୍ୟରେ ସଞ୍ଜୟଙ୍କ ଗୋଡକୁ ଗୁଳି କରିଥିଲେ ଦୁର୍ବୃତ୍ତ । ଏହାପରେ ଟଙ୍କା ଭର୍ତ୍ତି ବ୍ୟାଗକୁ ଧରି ସେହି ସ୍ଥାନରୁ ଖସି ପଳାଇଥିଲେ ଦୁର୍ବୃତ୍ତ । ଗୁଳିମାଡ କାରଣରୁ ଘଟଣାସ୍ଥଳରେ ସଞ୍ଜୟ ଆହତ ହୋଇଥିଲେ । ସେପଟେ ଆହତ ସଞ୍ଜୟଙ୍କୁ କଟକ ବଡ ମେଡିକାଲରେ ଭର୍ତି କରାଯାଇଥିବା ସୂଚନା ମିଳିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଅନ୍ୟପଟେ ପାରାଦୀପ ଭଳି ସହରୁ ବାରମ୍ବାର ଅପରାଧ ଜନିତ ଖବର ସାମ୍ନାକୁ ଆସିବାରେ ଲାଗିଛି । ସ୍ଥାନୀୟ ଅଞ୍ଚଳରେ ଲୁଟପାତ ଠାରୁ ଆରମ୍ଭ କରି ହତ୍ୟା ମଧ୍ୟ ହେଉଛି । ପୋଲିସକୁ ଚକମା ଦେଇ ଦିନ ଦ୍ୱିପ୍ରହରେ ବିନ୍ଦାସ ହୋଇ ବୁଲୁଛନ୍ତି ଦୁର୍ବୃତ୍ତ । ତେବେ ଆଗାମୀ ଦିନରେ ପାରାଦୀପ ସହରରେ ଶାନ୍ତି ସ୍ଥାପନ କରିବା ପାଇଁ ପୋଲିସ ପକ୍ଷରୁ କଡା ପଦକ୍ଷେପ ସମେତ ସଧାରଣ ଲୋକଙ୍କୁ ମଧ୍ୟ ସଜାଗ ରହିବାକୁ ପଡିବ ।