ସୁନ୍ଦରଗଡ଼,(ଏଟିଆର ବ୍ୟୁରୋ): ଯିଏ ଅନ୍ୟକୁ ହାତକଡ଼ି ଲଗାଏ ଆଜି ତାହା ହାତରେ ପଡିଛି ହାତପଡ଼ି । ଚୋରି କରି ବନ୍ଧା ହୋଇଛନ୍ତି ଜଣେ ପୁଲିସ କର୍ମଚାରୀ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଖୋଦ ପୁଲିସର ଅସ୍ତ୍ରାଗାରରୁ ଗୁଳି ଚୋରି କରି ଏହି ପୁଲିସ କର୍ମଚାରୀ ବନ୍ଧା ହୋଇଛନ୍ତି । ଘଟଣାଟି ଏବେ ପୂରା ସୁନ୍ଦରଗଡ଼ ଜିଲ୍ଲାରେ ଆଲୋଚନାର ବିଷୟ ହୋଇଛି । ଗିରଫ ଅଭିଯୁକ୍ତର ନାଁ ଗୁଲସନ କିରୋ । ସେ ଜଣେ କନଷ୍ଟେବଳ ବୋଲି ସୂଚନା ମିଳିଛି ।
ତେବେ ଏହି ଘଟଣାରେ ଗୁଲସନଙ୍କ ଜଣେ ବନ୍ଧୁଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି । କାହିଁକି ଓ କ’ଣ ପାଇଁ ଗୁଲସନ ଗୁଳି ଚୋରି କରିଥିଲେ ସେନେଇ ଅଧିକ ଖୋଳତାଡ ଆରମ୍ଭ ହୋଇଛି । ଏହି ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଏସପି ସୌମ୍ୟା ମିଶ୍ର । ରିପୋର୍ଟ ଅନୁସାରେ, ଗତ ୨୬ତାରିଖରେ ପୁଲିସ ଅସ୍ତ୍ରାଗାରରୁ ୬୦ରାଉଣ୍ଡ ଗୁଳି ଲୋଡ ଥିବା ମୋଟ ୪ଟି ମାଗାଜିନ ଚୋରି ହୋଇଥିଲା । ଏନେଇ ରିଜର୍ଭ ଇନ୍ସପେକ୍ଟର ବିକାଶ ହେମ୍ବ୍ରମ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଘଟଣାର ଖୋଳତାଡ କରିବା ପରେ ଚୋରି ପଛରେ କନଷ୍ଟେବଳ ଗୁଲସନଙ୍କ ହାତ ଥିବା ଜଣାପଡିଥିଲା ।
ଶେଷରେ ଗୁଲସନଙ୍କ ହାତରେ ହାତକଡି ପକାଇଛି ପୁଲିସ । ତେବେ ଚୋରି ପଛରେ ଗୁଲସନଙ୍କ କେଉଁ ଉଦ୍ଦେଶ୍ୟ ଲୁଚି ରହିଛି ସେନଇ ତଦନ୍ତ କରାଯାଉଥିବା ଏସପି ସୂଚନା ଦେଇଛନ୍ତି । ସେପଟେ ଏହି ଘଟଣାରେ ଅସ୍ତ୍ରାଗାର ଡ୍ୟୁଟିରେ ଥିବା ୨୫ଜଣ ପୁଲିସ କର୍ମଚାରୀଙ୍କ ଉପରେ ମଧ୍ୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ଜଣାଇଛନ୍ତି ।