କେନ୍ଦୁଝର(ଏଟିଆର ବ୍ୟୁରୋ): ପୁଣି ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ । ଏହି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ । ଉଚିତ ଚିକିତ୍ସା ଓ ଡାକ୍ତରଙ୍କ ଅବହେଳା ଯୋଗୁଁ ଜଣେ ଗର୍ଭବତୀଙ୍କ ମୃତ୍ୟୁ ହେବାର ଅଭିଯୋଗ ହୋଇଛି । ମୃତା ମହିଳାଙ୍କ ନାଁ ଝୁନୁ ମୁଣ୍ଡା । କିନ୍ତୁ ଏହି କଥାକୁ ଡାକ୍ତର ଅସ୍ୱୀକାର କରିଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ ମହିଳାଙ୍କ ମୃତ୍ୟୁ ପୂର୍ବରୁ ହୋଇସାରିଥିଲା । ତେଣୁ ଆମ ହାତରେ କିଛି କରିବା ଲାଗି ଉପାୟ ନଥିଲା ।
ଗତକାଲି ରାତି ପ୍ରାୟ ୧୦ଟା ବେଳେ ବାଂଶପାଳ ବ୍ଳକ୍୍ ଶୁଆକାଠି ପଞ୍ଚାୟତର କାଉଁରିକଳା ଗାଁର ଯୋଗେନ୍ଦ୍ର ମୁଣ୍ଡାଙ୍କ ସ୍ତ୍ରୀ ଝୁନୁମୁଣ୍ଡାଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା । ପରିବାର ଲୋକେ ଆଶା ଦିଦିଙ୍କୁ ଫୋନ୍ କରି ଏହି ବିଷୟରେ ଜଣାଇଥିଲେ । କିନ୍ତୁ ଆଶା ଦିଦି ସହାୟତା କରିବା ପରିବର୍ତ୍ତେ ଅଟୋ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯିବାକୁ ଯୋଗେନ୍ଦ୍ରଙ୍କୁ କହିଥିଲେ । ଯୋଗେନ୍ଦ୍ର ବହୁ କଷ୍ଟରେ ରାତି ଗୋଟାଏରେ ଝୁନୁଙ୍କୁ ନେଇଁ ମୁଖ୍ୟ ଜିଲ୍ଲା ଚିକିତ୍ସାଳୟରେ ପହଞ୍ଚିଥିଲେ । କିନ୍ତୁ ଅଧଘଣ୍ଟା ପର୍ଯ୍ୟନ୍ତ ଡାକ୍ତରଖାନାରେ ପଡି ରହିଥିଲେ ପ୍ରସୂତି । ଚିକିତ୍ସା ଅବହେଳା କାରଣରୁ ଝୁନୁଙ୍କ ମୃତ୍ୟୁ ହୋଇଛି ବୋଲି ସ୍ୱାମୀ ଅଭିଯୋଗ କରିଛନ୍ତି ।
ଅନ୍ୟପଟେ ଏହି ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ଏବଂ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଝୁନୁ ମୃତ୍ୟୁବରଣ କରିସାରିଥିଲେ ବୋଲି ଡାକ୍ତର କହିଛନ୍ତି ।