ଭୁବନେଶ୍ୱର,୧୪ା୨(ବ୍ୟୁରୋ): ଯେଉଁ କେଇପଦ କଥାକୁ ନେଇ ମାମଲା ଥାନାରେ ପହଁଚୁଥିଲା । ମୁଣ୍ଡ ବିନ୍ଧା ହେଉଥିଲା ପୁଲିସର । ଖାଲି ଏତିକି ନୁହେଁ ପୂରା ଘଟଣାକୁ ସର୍ବ ସମ୍ମୁଖକୁ ଆଣି ବେଶ୍ ମଜା ଉଠାଉଥିଲେ କେତେକ ସାମ୍ବାଦିକ । ଆଜି ସେହି ପଦକୁ ଦୋହରାଇବାକୁ ବି ପଛାଉ ନାହାନ୍ତି କିଛି ସାମ୍ବାଦିକ ।
ଆମେ କହୁଛୁ ‘କଣ କଲା ସେ’ ଡାଇଲଗ ସମ୍ପର୍କରେ । ଏବେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି । ଯେଉଁଥିରେ ଜଣେ ସାମ୍ବାଦିକଙ୍କ ଗାଡି ପଛରେ ଲେଖା ରହିଛି ସେହି ୩ପଦ କଥା ‘କଣ କଲା ସେ’ । କେବଳ ଏତିକି ନୁହେଁ ସବୁଠୁ ବଡ଼କଥା ହେଉଛି ଏହି ଗାଡିରେ ଏଯାବତ୍ ନମ୍ବର ଲେଖା ହୋଇନାହିଁ । କେତେବେଳେ କଣ କଲା ସେ’ ତ ପୁଣି କେତେବେଳେ ‘ମୁ କେନ୍ଦ୍ରାପଡା ଟୋକା’ ଉଲ୍ଲେଖ ରହୁଛି । ଯାହାକୁ ନେଇ ଏବେ ଅନେକ କଥା ଶୁଣିବାକୁ ମିଳୁଛି ।
ଚୋରା ଗାଡି ଚଢ଼ୁଛନ୍ତି କି ସାମ୍ବାଦିକ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି । ସେପଟେ ଗାଡିର ନମ୍ବର ଟିକେ ଏପଟ ସେପଟ ଲେଖିଲେ ମାଡି ବସି ଫାଇନ୍ କରୁଛି ପୁଲିସ । ଏଠି କିନ୍ତୁ କଥା ଓଲଟା । ଏହି ଗାଡି ଟ୍ରାଫିକ୍ ଥାନାରୁ ନେଇ ବଡ଼ବଡ଼ ବାବୁଙ୍କ ଅଫିସ ବାରଣ୍ଡାରେ ଡେରା ପକାଉଥିଲେ ବି ପୁଲିସ କାହିଁକି ଚୁପ୍ ତାକୁ ନେଇ ଚର୍ଚ୍ଚା । ଏହି ବେନମ୍ବର ଗାଡି ଆଜିକାଲି ନୁହେଁ ଦୀର୍ଘବର୍ଷ ହେଲା ରାଜଧାନୀରେ ଗଡୁଛି । ହେଲେ ଟ୍ରାଫିକ୍ ପୁଲିସ ଚୁପ ରହିବା କେତେଦୂର ଠିକ୍ ତାହା ଆଲୋଚନାର ବିଷୟ ।
ଏପଟେ ସାମ୍ବାଦିକଙ୍କୁ ପୁଲିସ ଡରୁଛି ବୋଲି ଶୁଣିବାକୁ ମିଳୁଛି । ନିକଟରେ ପ୍ରେସ ଲେଖାହୋଇ କଟକରେ ଅନେକ ଚୋରା ଗାଡି ଠାବ ହୋଇଥିଲା । ରାଜଧାନୀରେ ବି ଅନେକ ଗାଡିରେ ପ୍ରେସ ଲେଖା ହୋଇ ବିନା ନମ୍ବରରେ ଚାଲୁଛି । ଏହା ଉପରେ ପଦକ୍ଷେପ ନିଆଗଲେ ହୁଏତ ଏମିତି କିଛି ରହସ୍ୟ ସାମ୍ନାକୁ ଆସିବ ଯାହା ଏଯାବତ୍ ଲୁଚି ରହିଛି । ମିଛରେ ପ୍ରେସ ଲେଖି ଅନେକ କାର୍ଯ୍ୟରତ ସାମ୍ବାଦିକଙ୍କ ବୃତୀକୁ କଳୁଶିତ କରୁଥିବା ଅପରାଧୀଙ୍କୁ ଧରିବା ଲାଗି ଦାବି ହୋଇଛି ।