ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ ) : ପଶ୍ଚିମବଙ୍ଗରେ ବିଜେପିର ରଥଯାତ୍ରାକୁ ରାଜ୍ୟ ସରକାରଙ୍କ ବିରୋଧ ପରେ ବିଜେପି ମୁଖ୍ୟାଳୟରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବେଶ ବର୍ଷିଛନ୍ତି ଶାହା । ମମତା ସରକାରକୁ ଆକ୍ଷେପ କରି ଶାହା କହିଛନ୍ତି, ମମତା ବାନାର୍ଜୀ ଲୋକତନ୍ତ୍ରକୁ ହତ୍ୟା କରିଛନ୍ତି । ଆତଙ୍କବାଦରୁ ନେଇ ମନ୍ଦିରରୁ ମୂର୍ତ୍ତୀ ଚୋରୀ ପର୍ଯ୍ୟନ୍ତ ସବୁ ମାମଲାରେ ପଶ୍ଚିମବଙ୍ଗ ଆଗୁଆ ରହିଛି । ମହିଳା ନିର୍ଯ୍ୟାତନା ମାମଲା ମଧ୍ୟ ପଶ୍ଚିମବଙ୍ଗରେ ସର୍ବାଧିକ । ୪୪ ପ୍ରତିଶତ ନିର୍ଯ୍ୟାତନା ମାମଲା ଏହା ବୟାନ କରୁଛି । ତେବେ ବାମଦଳ ଅପେକ୍ଷା ମମତାଙ୍କ ସରକାରରେ ବେଶୀ ହିଂସା ହୋଇଛି ବୋଲି କହି ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି ଅମିତ ଶାହା ।
ଶାହା ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତରେ ଆହୁରି ମଧ୍ୟ କହିଛନ୍ତି, ମମତା ବାନାର୍ଜୀ େଯେତେ ଚେଷ୍ଟା କଲେ ବି ବିଜେପିର ବିଜୟ ରଥକୁ ଅଟକାଇ ପାରିବେ ନାହିଁ । ସେ କହିଛନ୍ତି୨୦୧୪ରେ ମୁଁ ୨୩ ଥର ବଙ୍ଗଳା ଯାଇଛି । ଆମେ ଯିବା ପରେ କୌଣସି ସ୍ଥାନରେ ଗୋଟିଏ ବି ଦଙ୍ଗା ହୋଇନି । ଯଦି ଦଙ୍ଗା ହୋଇଥିବ ତାହା ଟିଏମସି କରିଥିବ । ଆମେ ଶାନ୍ତିରେ ବିଶ୍ୱାସ କରୁ ଓ ଗାଁ ଗାଁରେ ବିକାଶ କଥା ପହଂଚାଇବୁ । ବଙ୍ଗଳାରେ ମମତା କୁଶାସନ ଚଳାଇଛନ୍ତିି ।
ଏହାସହ ଆସନ୍ତାକାଲି ପଶ୍ଚିମବଙ୍ଗ ଯିବାନେଇ ସୂଚନା ଦେଇଛନ୍ତି ଶାହା । କହିଛନ୍ତି ଆସନ୍ତାକାଲି ପଶ୍ଚିମବଙ୍ଗ ଯିବାର କାର୍ଯ୍ୟକ୍ରମ ରହିଛି । ବିଜେପି ସହ ପଶ୍ଚିମବଙ୍ଗର ସାଧାରଣ ଲୋକ ରହିଛନ୍ତି ଓ ଜନତା ଏବେ ପରିବର୍ତ୍ତନ ଚାହୁଁଛନ୍ତି ।