ଜୟପୁର/ହାଇଦ୍ରାବାଦ (ଏଟିଆର ବ୍ୟୁରୋ): ରାଜସ୍ଥାନ ଓ ତେଲେଙ୍ଗାନା ରାଜ୍ୟ ବିଧାନସଭା ପାଇଁ ଆଜି ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇଛି । ଏହା ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ । ଏହି ନିର୍ବାଚନ ୨୦୧୯ରେ ପ୍ରଭାବ ପକାଇବ ନେଇ ଚର୍ଚ୍ଚା ହେଉଥିବା ବେଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ର ସମିତି(ଟିଆରଏସ)ମୁଖ୍ୟ କେ ଚନ୍ଦ୍ର ଶେଖର ରାଓ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ଅନ୍ୟତମ ବରିଷ୍ଠ ନେତା ବସୁନ୍ଧରା ରାଜେଙ୍କ ଭବିଷ୍ୟତ ମଧ୍ୟ ନିର୍ଦ୍ଧାରଣ କରିବ ।
ସୂଚନା ଅନୁସାରେ ରାଜସ୍ଥାନରେ ବିଜେପି ଶାସନ କ୍ଷମତାରେ ଥିବା ବେଳେ ସେଠରେ ସଚୀନ ପାଇଲଟଙ୍କ ନେତୃତ୍ୱାଧୀନ କଂଗ୍ରେସଦଳ ବିଜେପିକୁ ଗାଦିଚ୍ୟୁତ କରିବ ବୋଲି ଅଣ୍ଟା ଭିଡିଛି । ବିଜେପି ଦ୍ୱିତୀୟଥର ଲାଗି ବସୁନ୍ଧରା ରାଜେ ସିନ୍ଧିଆ ସରକାରଭ୍କୁ କ୍ଷମତାକୁ ଆଣିବାକୁ ଲାଗିପଡିଛି । ରାଜସ୍ଥାନରେ ୫ କୋଟି ଭୋଟର ଥିବା ବେଳେ ୫୧ ହଜାର ୬ ଶହ ୮୭ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି ।
ସେହିପରି ତେଲେଙ୍ଗନାରେ ଏଥର ତିନିମୁଖୀ ଲଢେଇ ହେଉଛି । ଏହି ସିଂହାସନ ଦୌଡରେ ତେଲେଙ୍ଗନା ରାଷ୍ଟ୍ର ସମିତି, ଭାରତୀୟ ଜନତା ପାର୍ଟି ଓ ଟିଡିପି ନେତୃତ୍ୱରେ ଗଠିତ ବୃହତ ମେଣ୍ଟ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଛି । ନବଗଠିତ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କ୍ଷମତା ହାସଲ ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି ।
ହାଇଦ୍ରାବାଦରେ ଦକ୍ଷିଣୀ ଚିତ୍ରତାରକା ମାନେ ଧାଡିରେ ଠିଆ ହୋଇ ଭୋଟ ଦେବାକୁ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି । ସାଉଥ ତାରକା ନାଗାର୍ଜୁନ,ଆଲୁ ଅର୍ଜୁନ, ଅମଲା ଅକିନେନି ପ୍ରମୁଖ ଭୋଟ ଦେବା ପାଇଁ ଧାଡିରେ ଠିଆ ହୋଇଥିବା ଦେଖିବାକୁ ମିଳିଛି ।