ନୂଆଦିଲ୍ଲୀ, (ଏଟିଆର ବ୍ୟୁରୋ): କେନ୍ଦ୍ରର ଅର୍ଥମନ୍ତ୍ରୀଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ହେଲେ ଡ. କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମ । ଏହି ସୂଚନା ଦେଇଛି ଅର୍ଥ ମନ୍ତ୍ରାଳୟ । ପୂର୍ବରୁ ସେ ହାଇଦ୍ରାବାଦରେ ଥିବା ଇଣ୍ଡିଆନ ସ୍କୁଲ ଅଫ ବିଜେନେସ (ଆଇଏସବି)ର ଆସୋସିଏଟ୍ ପ୍ରଫେସର ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଥିଲେ । ୩ବର୍ଷ ଲାଗି ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ।
ସୁବ୍ରମଣ୍ୟମ ଆମେରିକାର ଚିକାଗୋ ବିଶ୍ୱବିଦ୍ୟାଳୟରୁ ନିଜର ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି । ଏହାସହ ଆଇଆଇଟି ଓ ଆଇଆଇଏମର ଜଣେ ଟପ୍ପର ରହିସାରିଛନ୍ତି । ସେ ବ୍ୟାଙ୍କିଂ, କର୍ପୋରେଟ ଗଭର୍ଣ୍ଣାନ୍ସ ଓ ଅର୍ଥନୈତିକ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଜଣେ ବିଶେଷଜ୍ଞ ଭାବରେ ବେଶ ଜଣାଶୁଣା । ସୁବ୍ରମଣ୍ୟମ ନିଜର ଏମବିଏ ଓ ପିଏଚଡି ଡିଗ୍ରୀ ଆର୍ଥିକ ଅର୍ଥନୀତିରେ ପ୍ରଫେସର ଲୁଇଗି ଜିଙ୍ଗଲେସ ଓ ପ୍ରଫେସର ରଘୁରାମ ରଞ୍ଜନଙ୍କ ନେତୃତ୍ୱରେ ଶେଷ କରିଥିଲେ । ସୁବ୍ରମଣ୍ୟମ ନିଜ ଏକାଡେମୀ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ନିୟୁର୍କରେ ଜେପି ମୋରଗାନ ନାମକ ଏକ କମ୍ପାନୀରେ ପରାମର୍ଶଦାତା ଭାବେ କାମ କରୁଥିଲେ । ଏହାସହ ସେ ୨୦୧୪ରେ ‘ଆଇଏସ୍ବି’ଏସ ଇନାଗୁରାଲ ଆଲୁମ୍ନି ଏଣ୍ଡୋମେଣ୍ଟ ରିସର୍ଚ୍ଚ ଫେଲୋ’ ସମ୍ମାନରେ ସମ୍ମାନିତ ହୋଇଥିଲେ ।