ବ୍ରହ୍ମପୁର,(ଏଟିଆର ବ୍ୟୁରୋ): ଚୋରା ମଦ କାରବାରର ପେଣ୍ଠସ୍ଥଳୀ ବ୍ରହ୍ମପୁର । ଗୁଟଖାରେ ତ’ ଜେଜେ ବାପା । ଗଳିକନ୍ଦି ହେଉ କି’ ବିଚ ବଜାର, ସବୁଠି ଖୁଲମଖୁଲ୍ଲା ଚାଲୁଛି ଦୋନମ୍ବରୀ କାମ । ଏ କଥା ନୁହେଁ ଯେ, ପୁଲିସ ପ୍ରଶାସନ ଏହା ଜାଣିନି । ବରଂ ସବୁ ଜାଣି ଆଖି ବୁଜିଦେଇଛନ୍ତି ପୁଲିସର ବଡ ପଣ୍ଡାମାନେ । ଯାହାର ଭରା ଫାଇଦା ଉଠାଉଛନ୍ତି ତଳିଆ ପୁଲିସ ।
ହାତଗୁଞ୍ଜା ନେଇ ନିଜ ପକେଟ ଗରମ କରିବା ସହ ଅସାଧୁ ବ୍ୟବସାୟୀଙ୍କୁ ଭରପୁର ସହଯୋଗ କରୁଛନ୍ତି । ଏ ଅଭିଯୋଗ ଆମର ନୁହେଁ ବରଂ ସ୍ଥାନୀୟ ଲୋକଙ୍କର । ଖାସ ଏଥିପାଇଁ ତ’ ବେଧଡକ ଚାଲୁଛି ଚୋରା ମଦ କାରବାରଠୁ ନେଇ ନକଲି ଗୁଟଖା ବ୍ୟବସାୟ । ଏ ସମ୍ପର୍କରେ ବହୁବାର ଆମେ ଅନୁସନ୍ଧାନ ମୂଳକ ଖବର ପ୍ରକାଶ କରିଛୁ । ହେଲେ କାର୍ଯ୍ୟାନୁଷ୍ଠାନ ଘର ତ’ ଆଳୁ ।
ରିପୋର୍ଟ ଅନୁସାରେ, ଦିନକୁ ଦିନ ବ୍ରହ୍ମପୁରରେ ଚୋରା କାରବାର ବଢ଼ିବାରେ ଲାଗିଛି । ପ୍ରଥମେ ନକଲି ଇଞ୍ଜିନ ଅଏଲ, ପରେ ଗୁଟଖା ଆଉ ଏବେ ମଦ ଜବତ ପରେ ଏହା ପ୍ରମାଣ କରୁଛି ନିଜର କାୟା ମେଲାଇ ଚାଲିଛନ୍ତି ଅସାଧୁ ବ୍ୟବସାୟୀ । ପୁଲିସର ଢ଼ିଲା ମନୋଭାବ ହିଁ ଏମାନଙ୍କୁ ସାହସ ଯୋଗାଉଛି । ଅଭିଯୋଗ ହୋଇଛି ସ୍ଥାନୀୟ ପୁଲିସକୁ ହାତ କରି ଏହି କଳାଧନ୍ଦା ଚାଲିଛି ।
ଛୋଟମୋଟ ଘଟଣାରେ ବରିଷ୍ଠ ଅଧିକାରୀ ଦୃଷ୍ଟି ଦେଉନଥିବା ଯୋଗୁ ତଳିଆ କର୍ମଚାରୀଙ୍କର ତ’ ଏବେ ‘କଚେ ପୁଅ ବାର’ । ସେ ମଦ ମାଫିଆ ହୁଅନ୍ତୁ ଅବା ଗୁଟଖା ମାଫିଆ କି’ ବାଲି ମାଫିଆ, ସମସ୍ତଙ୍କ ସହ ହାତ ମିଳାଇଛନ୍ତି ଏହି ଖାକି ପିନ୍ଧା ବାବୁମାନେ । ଗୁରୁବାର ରାତିରେ ବୋରିଗାଁରେ ପୁଲିସ ଚଢ଼ାଉ କରି ଏକ ନକଲି ମଦ କାରଖାନା ଠାବ କରିଥିଲା । ଘଟଣାରେ ସମ୍ପୃକ୍ତ ୩ଜଣଙ୍କୁ ଗିରଫ କରିବା ସହ ବହୁ ପରିମାଣର ମଦ ଜବତ କରିଥିଲା । ପୁଲିସର ଏଭଳି କାର୍ଯ୍ୟକୁ ଆମେ ବିରୋଧ କରୁନାହୁଁ ।
କିନ୍ତୁ ପୁଲିସ ରେକର୍ଡ କହୁଛି ଏକ ଟିଫିନ ହୋଟେଲ ଭିତରେ ଏହି କାରବାର ଚାଲିଥିଲା । ଯେଉଁଠି ସଦର ଥାନା ପୁଲିସ ଚଢ଼ାଉ କରି ଘଟଣାର ପର୍ଦ୍ଦଫାସ କରିଛି । ଏବେ ଆମର ପ୍ରଶ୍ନ ରାତାରାତି ତ’ ଏହି ମଦ କାରଖାନା ତିଆରି ହୋଇନଥିବ? ତେବେ କେମିତି ଜାଣିପାରିଲା ନାହିଁ ପୁଲିସ? ଫେଲ ମାରିଛି କି’ ଗୁଇନ୍ଦା? ନା ଜାଣିଜାଣି ଚୁପ ରହୁଥିଲା ପୁଲିସ? ଉପରୁ ଚାପ ପଡିବା ପରେ ତରବରିଆ ଭାବେ ନିଦ ଭାଙ୍ଗିନି ତ’? ନା’ ବଟି ମିଳିବାରେ ଏପଟ ସେପଟ ଯୋଗୁ ଏହି ଚଢ଼ାଉ ହୋଇଛି? ଏମିତି ତମାମ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି ।
ସେପଟେ ବିପୁଳ ପରିମାଣର ମଦ ଜବତ ପରେ ବରିଷ୍ଠ ଅଧିକାରୀମାନେ ଗଣମାଧ୍ୟମକୁ ଡାକି ନିଜର ପାରିବାପଣିଆ ବଖାଣିଲେ । ଯାହାକୁ ଲୋକେ ଯଦିଓ ସ୍ୱାଗତ କରିଛନ୍ତି ତଥାପି ମନରେ ଅନେକ କିନ୍ତୁ ଛିଡା ହୋଇଛି । ଦିନେ ଅଧେ ଧରି ବାହାଦୂରି ନୁହେଁ ବରଂ ଗଳିକନ୍ଦିରେ ଚାଲୁଥିବା ଗୁଟଖା କାରବାରଠୁ ନେଇ ନକଲି ତେଲ କାରବାର ଉପରେ ଚଢ଼ାଉ କରି ଅସଲ ଘଟଣା ସାମ୍ନାକୁ ଆଣନ୍ତୁ ବୋଲି ଲୋକେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ।