ଚନ୍ଦ୍ରଗିରି ( ଏଟିଆର ବ୍ୟୁରୋ) : ବିବାହ ପରେ ବାପଘରକୁ ଛାଡି ସ୍ୱାମୀର ହାତ ଧରି ଶାଶୁଘରକୁ ଆସିଥାଏ ଝିଅ । ଆଶା ଥାଏ ଦଶଦୋଷ କ୍ଷମା କରିବ ସ୍ୱାମୀ । ଇହକାଳ ପରକାଳର ସାଥୀ ହୋଇ ସାତ ଜନ୍ମ ଯାଏ ତାର ରକ୍ଷା କରିବ । ହେଲେ ସେହି ଜୀବନସାଥୀ ଯେବେ ରକ୍ଷା କରିବା ବଦଳରେ ଜୀବନ ନିଏ ତେବେ କଣ ହୁଏ ପରିସ୍ଥିତି । ଏମିତି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା କିଡାସିଂ ଗାଁରେ । ସାମାନ୍ୟ କଳହରୁ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସ୍ୱାମୀ । ମୃତ ମହିଳା ଜଣକ ହେଉଛନ୍ତି ୫୮ ବର୍ଷିୟା କ୍ଷୀର ରଣଷଣ୍ଢ ।
ମିଳିଥିବା ଖବର ଅନୁସାରେ, ଅଭିଯୁକ୍ତ ସ୍ୱାମୀ କୋରା ରଣଷଣ୍ଢଙ୍କର ନିଜ ପତ୍ନୀ ସହିତ କୌଣସି କାରଣ ବଶତଃ ଝଗଡା ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ କୋରା ପାଖରେ ଥିବା ଏକ ଟାଙ୍ଗିଆରେ ନିିଜ ପତ୍ନୀଙ୍କୁ ହତ୍ୟା କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ପତ୍ନୀ କ୍ଷୀରଙ୍କର ମୃତ୍ୟୁ ହୋଇଥିଲା । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ କୋରାଙ୍କୁ ଅଟକ ରଖି ପଚାରଉଚାର ଆରମ୍ଭ କରିଛି । ଅନ୍ୟପଟେ ଅଭିଯୁକ୍ତ କୋରା ମଧ୍ୟ ପୋଲିସ ଆଗରେ ନିଜ ଦୋଷ ସ୍ୱୀକାର କରିଛି ।