କଟକ( ଏଟିଆର ବ୍ୟୁରୋ): ବଢ଼ି ଚାଲିଛି ବ୍ରାଉନସୁଗାର କାରବାର । ପୁଲିସ ଓ ଅବକାରୀ ବିଭାଗର ଆଖିରେ ଧୂଳି ଦେଇ ଏହି କାରସାଦି ଚାଲିଛି । ଯଦିଓ ଏହା ଉପରେ କଡା ନଜର ରଖାଯାଇଛି ତଥାପି ଏହି କାରବାର କମିବା ବଦଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଗତ ଦିନର ରିପୋର୍ଟକୁ ଦେଖିଲେ ଟ୍ୱିନସିଟିରେ ବ୍ରାଉନସୁଗାର ବ୍ୟବସାୟୀ ନିଜର କାୟା ବିସ୍ତାର କରୁଥିବା ଜଣାପଡୁଛି । ତେବେ ଏପରିସ୍ଥଳେ ସୋମବାର ପୁଣି ଭୁବନେଶ୍ୱର ଓ କଟକ ଜିଲ୍ଲା ଅବକାରୀ ଫ୍ଲାଇଂ ସ୍କ୍ୱାର୍ଡର ମିଳିତ ଚଢ଼ାଉରେ ୨ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କଠୁ ୭୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଗିରଫ ୨ ଅଭିଯୁକ୍ତ ହେଉଛନ୍ତି ଖୋର୍ଦ୍ଧା ପୁରୁଜଙ୍ଗ ଅଞ୍ଚଳର ଟୁକୁନା ଦାସ ଓ ପ୍ରକାଶ ପ୍ରଧାନ । ଉଭୟ ବ୍ରାଉନସୁଗାର ବ୍ୟବସାୟୀ ବୋଲି ଅବକାରୀ ବିଭାଗ ଜାଣିବାକୁ ପାଇଛି ।
ରିପୋର୍ଟ ଅନୁସାରେ, ଗତ କିଛି ଦିନ ଧରି ଟୁକୁନା ଓ ପ୍ରକାଶ ଖଣ୍ଡଗିରି ଥାନା କୋଳଥିଆ ଓ ବରମୁଣ୍ଡା ଅଞ୍ଚଳରେ ବ୍ରାଉନସୁଗାର ବିକ୍ରି କରୁଥିବାର ସୂଚନା ମିଳିଥିଲା । କମିଶନରେଟ୍ ପୁଲିସ କୌଣସି ଗୁପ୍ତ ତଥ୍ୟ ଅନୁସାରେ ସେହି ଅଞ୍ଚଳକୁ ଘେରାଉ କରି ବ୍ରାଉନସୁଗାର ଜବତ କରିବା ସମେତ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ତେବେ ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଅଭିଯୁକ୍ତଙ୍କ ପାଖରୁ ଗୋଟିଏ ଅଟୋ ଓ ଗୋଟିଏ ବାଇକ ଜବତ କରାଯାଇଛି । ତେବେ ଏହି ଘଟଣାରେ ଆଉ କେଉଁମାନେ ଜଡିତ ରହିଛନ୍ତି ସେନେଇ ଅଧିକ ତଦନ୍ତ ଜାରି ରଖିଛି ପୁଲିିସ ।