ପୁରୀ (ଏଟିଆର ବ୍ୟୁରୋ ) : ପୁରୀ କୃଷ୍ଣପ୍ରସାଦ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି । କିଛିଦିନ ଧରି କାଉ ଓ କୁକୁଡା ମଡକ ପରେ ଏଠାରେ ବାର୍ଡ ଫ୍ଲୁ ଚିହ୍ନଠ ହୋଇଥିବା ସୂଚନା ମିଳିଛି । ନମୂନା ପରୀକ୍ଷାରୁ ବାର୍ଡ ଫ୍ଲୁ ପଜିଟିଭ୍ ଆସିଥିବା କୃଷ୍ଣପ୍ରସାଦ ବିଡିଓ ଅଶୋକ ମହାନ୍ତି ସୂଚନା ଦେଇଛନ୍ତି ।
ଏହାକୁ ନେଇ ସେହି ଅଞ୍ଚଳରେ ସମୁହ କୁକୁଡା ମାରିବା ସହ କୁକୁଡା ଅଣ୍ଡା ଓ ମାଂସ ବିକ୍ରିି ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ବଜାରରେ ଏହାର ବିକ୍ରି ଉପରେ କଟକଣା ଲଗାଇବା ସହ ସ୍କୁଲ ଓ ଅଙ୍ଗନୱାଡି ଖାଦ୍ୟରୁ ବି ଅଣ୍ଡାକୁ ବାଦ ଦିଆଯାଇଛି । ସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ କୃଷ୍ଣପ୍ରସାଦ ଓ ମାଲୁଦ ଅଞ୍ଚଳରେ ପ୍ରଥମେ ଶହ ଶହ ସଂଖ୍ୟାରେ କାଉ ମରି ପଡିଥିବା ଦେଖିବାକୁ ମିଳିଥିଲା । ଏହାପରେ ହଜାର ହଜାର କୁକୁଡା ମଡକ ହୋଇଥିଲା । ପରେ ଚିଲିକା କୂଳରେ ଚିଲ ମରି ପଡିଥିଲେ । ଏଭଳି ପକ୍ଷୀମଡକ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ାଇ ଦେଇଥିଲା । ପରେ ପ୍ରାଣୀ ଚିକିତ୍ସକ ମୃତ ପକ୍ଷୀମାନଙ୍କର ମଳ, ମୂତ୍ର ଓ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଭୋପାଳ ପଠାଇଥିଲେ । ସେଠାରୁ ବାର୍ଡ ଫ୍ଲୁ ନେଇ ପଜିଟିଭ ରିପୋର୍ଟ ଆସିବା ପରେ ସତର୍କତା ମୂଳକ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ ।