ବ୍ରହ୍ମପୁର (ଏଟିଆର ବ୍ୟୁରୋ); ସ୍ୱାମୀ ସାଜିଲା ହତ୍ୟାକରୀ । ସାତଜନମ ପାଇଁ ସାଥୀ ହୋଇ ରହିବା ପାଇଁ ଅଗ୍ନିକୁ ଶପଥ ରଖିଥିବା ସ୍ୱାମୀ ଶେଷରେ ମାରିଦେଲା ଧର୍ମପତ୍ନୀକୁ । ସ୍ତ୍ରୀକୁ ମାରିବା ପରେ ମନ ବୁଝିଲାନି ଯେ ନିଜେ ମଧ୍ୟ ଦଉଡିରେ ଝୁଲି ପଡିଲେ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ବାରଡାଗାଁରେ । ମୃତକ ସ୍ୱାମୀ ସ୍ତ୍ରୀ ଦ୍ୱୟ ହେଲେ ବାଙ୍କିଆ ସେଠୀ ଏବଂ ନୟନୀ ସେଠୀ । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତ ଦେହକୁ ଜବତ କରିବା ସହ ତଦନ୍ତ ଜାରି କରିଛି ।
ପୋଲିସ ରିପୋର୍ଟ ଅନୁସାରେ ବାଙ୍କିଆ ଏବଂ ନୟନୀ ବାଗଡାଗାଁରେ ଏକ ଭଡା ଘରେ ରହୁଥିଲେ । କିଛିଦିନ ହେବ ଦୁହିଁଙ୍କ ମଧ୍ୟରେ କଳହ ଲାଗି ରହିଥିଲା ବୋଲି ପଡୋଶୀ ମାନେ କହିଛନ୍ତି । ତେବେ ସକାଳେ ପୁଣିଥରେ ଉଭୟଙ୍କ ମଧ୍ୟରେ କଳହ ଲାଗିଥିଲା । ଏଥିରେ ବାଙ୍କିଆଙ୍କ ମୁଣ୍ଡକୁ ପିତ ଚଢ଼ିଯାଇଥିଲା । ଏବଂ ଘରେ ଥିବା ଏକ ଧାରୁଆ ଅସ୍ତ୍ରରେ ନୟନୀଙ୍କୁ ହାଣିଥିଲା । ନୟନୀ ପାଟି କରିବାରୁ ପଡୋଶୀମାନେ ଧାଇଁଆସିଥିଲେ । ମାତ୍ର ବାଙ୍କିଆ ନୟନୀଙ୍କ ବେକକୁ କାଟି ଦେଇଥିଲା ।
ଗାଁ ଲୋକ ନୟନୀଙ୍କୁ ଉଦ୍ଧାର କରି ସ୍ଥାନୀୟ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ବ୍ରହ୍ମପୁର ଦେବା ବାଟରେ ନୟନୀଙ୍କ ମୃତ୍ୟୁ ହୋଇଥିଲା । ସେପଟେ ସ୍ତ୍ରୀକୁ ମେଡିକାଲ ନେବା ପରେ ରହିଥିବା ଭଡାଘରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ବାଙ୍କିଆ । ଶେଷରେ ପାରିବାରିକ କଳହ ପାଇଁ ଚାଲିଗଲା ଦୁଇ ଜଣଙ୍କ ଜୀବନ ।