ଭୁବନେଶ୍ୱର ( ଏଟିଆର ବ୍ୟୁରୋ ) : ଓଡିଶାକୁ ମିଳିଲା ତିତଲି ସହାୟତା । ୧୦୨୩ କୋଟି ୫୯ଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ଘୋଷଣା କରିଛି କେନ୍ଦ୍ର । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ଏନେଇ ଟୁଇଟ କରି ଘୋଷଣା କରାଯାଇଛି । ଏନଡିଆରଏଫ୍ ପାଣ୍ଠିରୁ ଏହି ଅତିରିକ୍ତ ସହାୟତା ମିଳିଥିବା ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ଟୁଇଟରେ ଉଲ୍ଲେଖ କରାଯାଇଛି ।
https://twitter.com/HMOIndia/status/1074643462203396096
କେନ୍ଦ୍ରରୁ ଏହି ସହାୟତା ମିଳିବା ପରେ କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସହାୟତା ଯୋଗାଇଦେବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ଧର୍ମେନ୍ଦ୍ର ଭେଟିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନାଥଙ୍କୁ ଚିଠି ଲେଖିବା ସହ ଫୋନରେ କଥା ହୋଇଥିଲେ । ତେବେ ଏହି କେନ୍ଦ୍ରୀୟ ସହାୟତା ମିଳିବା ନେଇ ନବୀନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ରାଜନାଥ ।
ତିତଲି କ୍ଷତିଗ୍ରସ୍ତ ଅଂଚଳ ପାଇଁ କେନ୍ଦ୍ରୀୟ ସହାୟତା ମିଳିନଥିବା ନେଇ ଦାବୀ ଦୋହରାଇଥିଲେ ରାଜ୍ୟ ସରକାର । ଆନ୍ଧ୍ରକୁ ମିଳିଥିବା ବେଳେ କାହିଁକି ଓଡିଶାକୁ ମିଳିବ ନାହିଁ ବୋଲି ବି ଜାଣିବାକୁ ଚାହିଁଥିଲେ । ଏପରିକି ଏ ଦିଗରେ ରାଜନାଥଙ୍କ ହସ୍ତକ୍ଷେପ ଲୋଡିଥିଲେ ମୁଖ୍ୟମନ୍ତ୍ରୀ । ଅର୍ଥ ଅଭାବରୁ କ୍ଷତିଗ୍ରସ୍ତ ଅଂଚଳରେ ମରାମତି ଓ ପୁନଃନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବାରୁ ତୁରନ୍ତ କେନ୍ଦ୍ରୀୟ ସହାୟତା ଯୋଗାଇ ଦେବାକୁ ଦାବୀ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ତିତଲି ବାତ୍ୟା, ବନ୍ୟା ଓ ଭୁସ୍ଖଳନ ଯୋଗୁ ୧୭ ଜିଲ୍ଳାର ୧୨୮ଟି ବ୍ଲକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୬୦.୩୧ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ଜଣାପଡିଛି । ଏହି ଦୁର୍ବିପାକରେ ରାଜ୍ୟ ସରକାର ତକ୍ରାଳ ସବୁ ପ୍ରକାର ପଦକ୍ଷେପ ନେଇଥିଲେ ।