ବାଲେଶ୍ୱର (ଏଟିଆର ବ୍ୟୁରୋ) ମାଡ । ନିର୍ଘାତ ମାଡ । ଅନ୍ଧା ଦୁନିଆ ମାଡ । କାନ ମୋଡି ଗାଲକୁ ଠୋ ଠୋ ଚଟକଣା । ଚୋରୀର ପ୍ରମାଣ ନାହିଁ କିନ୍ତୁ ନାବାଳକୁ ଚୋର ସଜେଇ ପିଟି ଚାଲିଛନ୍ତି ଜଣେ ବାବୁ । ଅମାନବୀୟ, ଅମାନୁଷିକ, ନୃଶଂସ, ଜଘନ୍ୟ । ଭାଷାକୋଷର ସବୁ ଭାଷାବି କମ ପଡିଯିବ ଏଇଠି ।
ଏ ହେଉଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଷ୍ଟେସନ ବଜାରର ଦୃଶ୍ୟ । ମାନବିକତା ଓ ମଣିଷପଣିଆର ସବୁ ସୀମା ସରହଦ ଟପିଯାଇଛି ଏଠି । ଷ୍ଟେସନାରୀ ଦୋକାନରୁ ଟଙ୍କା ଚୋରୀ କରିଥିବା ଅଭିଯୋଗରେ ଜଣେ ନାବାଳକକୁ ଦିଆଚାଲିଛି ଅକଥନୀୟ ନିର୍ଯ୍ୟାତନା । ଦେଖୁ ନାହାଁନ୍ତି କେମିତି ଏ ବାବୁ ନାବାଳକ ଜଣକୁ ଖୁଂଟରେ ବାନ୍ଧି ପକାଉଛନ୍ତି । ହାତରେ ବାଡି ଧରି ପିଟିବାକୁ ଉଦ୍ୟମ କରୁଛନ୍ତି । ମନ ବୁଝିଲାନି ଯେ, ପିଲାଟିର କାନକୁ ମୋଡି ଗାଲକୁ ଚଟକଣା ମାରି ଚାଲିଛନ୍ତି ।
ଥରେ ଚିନ୍ତା କରନ୍ତୁ, ନାବାଳକଟି ଚୋରୀ କରିଛି କି ନା ତାର ପ୍ରମାଣ ମିଳିନି । ଆଉ ଯଦି ବି ଜୋରୀ କରିଛି, ସେଥିପାଇଁ ଆଇନ ଅଛି । ଚୋରୀ ଅଭିଯୋଗକୁ ପୁଲିସରେ ନଦେଇ ଭରୀ ବଜାରରେ କଙ୍ଗାରୁ କୋର୍ଟ ବସାଇ ଏ ବାବୁ ଆଇନକୁ ହାତକୁ ନେଇ ପାରୁଛନ୍ତି କେମିତି ? ଯଦି ଦୋକାନରୁ ଚୋରୀ କରି ନାବାଳକ ଏ ଦଣ୍ଡ ପାଉଛି , ତେବେ ନାବାଳକକୁ ଖୁଂଟରେ ବାନ୍ଧି ମାଡ ମାରୁଥିବା ଏ ବାବୁ ବି ଆଇନ ଦଣ୍ଡରେ ଦଣ୍ଡିତ ନହେବେ କାହିଁକି ?
ରାଗ ବ୍ରହ୍ମଚଣ୍ଡାଳ ସତ ତା ବୋଲି ମଣିଷ କଣ ଏତେ ତଳକୁ ଖସି ଯିବ ଯେ, ବୟସର ତାରତମ୍ୟ ଦେଖିବନି ? ଏଠି ଗଦା ହୋଇ ତାମସା ଦେଖୁଥିବା ଲୋକଙ୍କ ଭିତରୁ କାହାର ବି ବିବେକ କେମିତି କହିଲାନି, ପିଲାଟି ପ୍ରତି ମମତା ଦେଖାଇବା ପାଇଁ ? କଣ ଏଇ ଆମ ସାମାଜିକ ବ୍ୟବସ୍ଥା ? କଣ ଏଇ ଆମ ସାମାଜିକ ମୂଲ୍ୟବୋଧ ? ଆଶା କରିବୁ ଜଳେଶ୍ୱର ପୁଲିସ ଏହି ଭିଡିଓ ଦେଖି ନିଜ ଆଡୁ ମାମଲା ରୁଜୁ କରୁ ଆଉ ଏ ଅଭିଯୁକ୍ତମାନଙ୍କୁ ଜଣାଇ ଦେଉ ଆଇନ କାହାକୁ କହନ୍ତି ।